ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବିବାଦ : ବିନାନୁମତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଚାଲିଛି ଖନନ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣକୁ ନେଇ ତମ୍ବିତୋଫାନ ହେଲାଣି । ଏହି ଖନନ ଓ ନିର୍ମାଣ ଶ୍ରୀମନ୍ଦିର ପାଇଁ ବିପଦ ଆଣୁଛି ବୋଲି ଭକ୍ତ, ସେବାୟତ ମହଲ ଅଭିଯୋଗ କରିବା ପରେ କଥା ପଲ୍ଲୀରୁ ଯାଇ ଦିଲ୍ଲୀରେ ପହଞ୍ଚିଲାଣି । ଏହି ସମ୍ବେଦନଶୀଳ ପ୍ରସଙ୍ଗ ପୁରୀରୁ ଯାଇ ବିଧାନସଭା, ଲୋକସଭାରେ ପହଞ୍ଚିଲାଣି । ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଭିତରେ ଚାଲିଥିବ ମନ୍ତବ୍ୟକୁ ନେଇ ଅସନ୍ତୋଷ ବି ବଢ଼ିବାରେ ଲାଗିଛି । ତଥାପି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଆଜି ବି ଅଟକି ନାହିଁ । ଏବେ ବି ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଜୋତାଷ୍ଟାଣ୍ଡ୍‌ ପାର୍ଶ୍ବକୁ ଥିବା ଶ୍ରୀମନ୍ଦିରର ପୁରୁଣା କାର୍ଯ୍ୟାଳୟ ଭାଙ୍ଗି ଦିଆଯିବା ପରେ ଏହାର ନିର୍ମାଣ ପାଇଁ ଖନନ କାର୍ଯ୍ୟ ଜାରି ରହିଛି ।

ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏନ୍‌ଏମ୍‌ଏର ଯେଉଁ ଅନୁମତିପତ୍ର ଦେଖାଉଛି, ସେଥିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ସ୍ପଷ୍ଟ ବିରୋଧ କରାଯାଇଛି । କୁହାଯାଇଛି ଯେ ନିଷିଦ୍ଧାଞ୍ଚଳ ବାହାରେ ରେଗୁଲେଟେଡ୍‌ ଅଞ୍ଚଳରେ ନିର୍ମାଣ ହେଉଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ଏନ୍‌ଏମ୍‌ଏ ନିକଟରେ ପୁନଃଆବେଦନ କରାଯାଉ । ସେ ପୁଣି ଭିନ୍ନ ଭାବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଭିତରେ ଏହାକୁ ନ ମିଶାଇବାକୁ କୁହାଯାଇଥିଲା । ଏନ୍‌ଏମ୍‌ଏ ଆଇନ-୨୦ସି(୨) ଆଧାରରେ ଅନୁମତି ମାଗିବାକୁ କୁହାଯାଇଥିଲା । ଏବେ ସୁଦ୍ଧା ଏହାର ଅନୁମତିପତ୍ର ମିଳିନି । ପୁନଃ ଆବେଦନ ହୋଇଛି କି ନାହିଁ, ତାହା ବି କେହି ସ୍ପଷ୍ଟ କହୁନାହାନ୍ତି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରୁଣା କୋଠା ଭଙ୍ଗା ସ୍ଥାନରେ ଏବେ ବିରାଟ ଗର୍ତ୍ତ ସୃଷ୍ଟି କରାଯାଇଛି । ଓବିସିସି ଜରିଆରେ ଠିକାସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ ଜେସିବି, ଏସ୍କାଭେଟର, ଭାଇବ୍ରେଟର ଲଗାଇ ପ୍ରାୟ ୧୫ ଫୁଟର ଗର୍ତ୍ତ ଏଠାରେ ସୃଷ୍ଟି କରି ସାରିଲାଣି । ସେ ପୁଣି ପ୍ରାୟ ୧୨ ଫୁଟ ଓସାର ଓ ପ୍ରାୟ ୨୦ ଫୁଟ ଲମ୍ବରେ । ଖନନ ପରେ ଏବେ ମୂଳଦୁଆ ପକାଇବା ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ରଡ୍‌ ବାଇଣ୍ଡିଂ ପାଇଁ ପ୍ରସ୍ତୁତି ଚାଲିଛି । ପିଲାର ଉଠିବା ପାଇଁ ପାଇପ୍‌ ବନ୍ଧାଯାଇଛି । ସେପଟେ ଏମାର ମଠ ପଛପାର୍ଶ୍ବରେ ପୂର୍ବ-ଦକ୍ଷିଣଦ୍ବାର କୋଣରେ ବି ଖନନ କାର୍ଯ୍ୟ ଜାରି ରହିଛି । ଏଠାରେ ବି ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେପଟେ ପଶ୍ଚିମଦ୍ବାର ଓ ଦକ୍ଷିଣଦ୍ବାରରେ ଖନନ ପରେ କଂକ୍ରିଟ୍‌ ପିଲାର୍‌ ଉଠାଯାଇଥିଲା । ଏବେ ଇଟାରେ ଘର ତିଆରି ଆରମ୍ଭ ହୋଇଯାଇଛି । ପଶ୍ଚିମଦ୍ବାରରେ ଇଟାର କାନ୍ଥ ଉଠା ସରିଲାଣି । ଏହି ନିର୍ମାଣ କାର୍ଯ୍ୟ ବି ଜାରି ରହିଛି । ଏ ସମ୍ପର୍କରେ ଓବିସିସିର ନିର୍ବାହୀ ଯନ୍ତ୍ରୀ ପ୍ରଭାତ ପାଣିଗ୍ରାହୀ କହିଛନ୍ତି ଯେ ଏହି ପ୍ରକଳ୍ପ ୧୦୦ ମିଟର ପରିସରରେ ଆସୁନାହିଁ । ଏ ନେଇ ଏନ୍‌ଏମ୍‌ଏ ନିକଟରେ ପୁନଃ ଆବେଦନ କରାଯାଇଥିଲା । ସେହି ଆଧାରରେ ଆମେ ନିର୍ମାଣ କାର୍ଯ୍ୟ ଚାଲୁରଖିଛୁ ।

Leave a Reply

Your email address will not be published. Required fields are marked *