ନୂଆଦିଲ୍ଲୀ: କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ମାମଲାରେ ଆଜି ସୁପ୍ରିମ୍କୋର୍ଟ ରିଲାଏନ୍ସ କମ୍ୟୁନିକେସନ୍ ଅଧ୍ୟକ୍ଷ ତଥା ଶିଳ୍ପପତି ଅନୀଲ ଅମ୍ବାନୀ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଦୁଇ ନିର୍ଦ୍ଦେଶକ ହେଉଛନ୍ତି ରିଲାଏନ୍ସ ଟେଲିକମ୍ ଅଧ୍ୟକ୍ଷ ସନୀଶ ସେଠ୍ ଓ ରିଲାଏନ୍ସ ଇନ୍ଫ୍ରାଟେଲ୍ ଅଧ୍ୟକ୍ଷ ଛାୟା ବିରାନି।
ସୁଧ ସହିତ ଋଣ ଅର୍ଥ ଫେରାଇବା ପାଇଁ ସୁପ୍ରିମ୍କୋର୍ଟ ଗତବର୍ଷ ଅକ୍ଟୋବର ମାସ ୨୩ ତାରିଖରେ ଦେଇଥିବା ନିର୍ଦ୍ଦେଶକୁ ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକ ଅବମାନନା କରିଥିବା ନେଇ ଟେଲିକମ୍ ଇକ୍ୟୁପ୍ମେଣ୍ଟ କମ୍ପାନୀ ଏରିକ୍ସନ୍ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରିଥିଲା। ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
କୋର୍ଟ ତାଙ୍କ ରାୟ ଶୁଣାଇ କହିଛନ୍ତି, ଅନୀଲ ଅମ୍ବାନୀ ଓ ଅନ୍ୟ ଦୁଇ ନିର୍ଦ୍ଦେଶକ ଚାରି ସପ୍ତାହ ମଧ୍ୟରେ ଏରିକ୍ସନ୍ ଇଣ୍ଡିଆକୁ ୪୫୦ କୋଟି ଟଙ୍କା ଦେବେ। ଯଦି ସେମାନେ ଏହି ସମୟ ମଧ୍ୟରେ ଟଙ୍କା ନ ଦେବେ ତା’ହେଲେ ତିନି ମାସ ପାଇଁ ଜେଲ୍ ଯିବେ।
