ଡ୍ରେନ୍‌ ପାଣି ପିଉଛନ୍ତି ଭୁବନେଶ୍ବରବାସୀ : ଭାସୁଛି ଇଞ୍ଜକ୍ସେନ୍‌ ସିରିଞ୍ଜ, ଗଜ୍‌ କପଡ଼ା

ଭୁବନେଶ୍ବର : ଡ୍ରେନ୍‌ ପାଣି ପିଉଛନ୍ତି ଭୁବନେଶ୍ବରବାସୀ ! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି‌ଲେ ବି ସତ। ମଞ୍ଚେଶ୍ବର ନିକଟରେ ଯାଇଥିବା ବୁଡ଼ୁନାଳର ବିଷାକ୍ତ ଡ୍ରେନ୍‌ ପାଣି କୂଆଖାଇ ନଦୀରେ ମିଶୁଛି ଓ ଏହାକୁ ହିଁ ବିଶୋଧନାଗାରରେ ବିଶୋଧନ କରାଯାଇ ଭୁବନେଶ୍ବର ସହରକୁ ଯୋଗାଣ କରାଯାଉଛି । ବିଶୋଧନ କରାଯାଉଥିଲେ ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ସହରର କିଛି ବୁଦ୍ଧିଜୀବୀ । ଡ୍ରେନ୍‌ ପାଣି କାହିଁକି ନଦୀରେ ମିଶା ଯାଉଛି ଓ ସେହି ପାଣିକୁ କାହିଁକି ପିଇବା ପାଇଁ ଯୋଗାଇ ଦିଆଯାଉଛି ବୋଲି ଅଭିଯୋଗ କରି ପ୍ରଶ୍ନ ଉଠାଇଛନ୍ତି ।

ବୁଡ଼ୁନାଳ ପଟିଆ-ଚନ୍ଦ୍ରଶେଖରପୁର-କଳାରାହାଙ୍ଗ ଦେଇ ମଞ୍ଚେଶ୍ବର ନିକଟରେ କୂଆଖାଇ ନଦୀରେ ମିଶିଛି । ମ‌ଞ୍ଚେଶ୍ବର ପୂର୍ବରୁ ଅନ୍ୟ ଏକ ଧାର ଗଙ୍ଗୁଆନାଳ ବାହାରି ଚକେଇସିଆଣି-ସମେଇଗଡ଼ିଆ-ପଳାସୁଣି-ପାଣ୍ଡରା ଦେଇ ଦୟାନଦୀରେ ପଡ଼ିଛି । ସ୍ଥାନୀୟ ବାସିନ୍ଦା ଆଦିକନ୍ଦ ରାଉତଙ୍କ ଅଭିଯୋଗ ହେଉଛି ଜନବସତି ବଢ଼ିବା‌ ଫଳରେ ବୁଡ଼ୁନାଳର ପାଣି ବିଷାକ୍ତ ହୋଇଯାଇଛି । ଏହି ନାଳକୁ ଅନେକ ସ୍ଥାନରେ ଜବରଦଖଲ କରି ସଙ୍କୁଚିତ କରାଯାଇଛି । ଚନ୍ଦ୍ରଶେଖରପୁର ଠାରୁ ମଞ୍ଚେଶ୍ବର ଯାଏ ସମସ୍ତ ଅଞ୍ଚଳର ଡ୍ରେନ୍‌ ପାଣି ବୁଡ଼ୁନାଳରେ ଛଡ଼ାଯାଉଛି । ସ୍ଥାନୀୟ ଅଞ୍ଚଳର ସବୁ କଲୋନି, ବଡ଼ବଡ଼ ଡାକ୍ତରଖାନା, ଶିଳ୍ପାନୁଷ୍ଠାନରୁ ବାହାରୁଥିବା ବିଷାକ୍ତ ପାଣି, ଆବର୍ଜନା ଏହି ନାଳରେ ଛଡ଼ାଯାଇଛି । କିଛି ଗଙ୍ଗୁଆନାଳରେ ପ୍ରବାହିତ ହେଉଛି, ଆଉ କିଛି ବୁଡ଼ୁନାଳ ଦେଇ କୂଆଖାଇ ନଦୀରେ ମିଶୁଛି ।

ଫଳରେ ଏବେ କୂଆଖାଇରେ ଧଳା ଧଳା ଫେଣ ସୃଷ୍ଟି ହେଉଛି । ଯେଉଁ ପଥରରେ ଏହି ଫେଣ ଲାଗୁଛି, ତାହା କଳା ପଡ଼ିଯାଉଛି । ସବୁବେଳେ ଏହି ନାଳ ପାଣିରେ ଇଞ୍ଜେକସନ୍‌ ସିରିଞ୍ଜ, ଗଜ୍‌ କପଡ଼ା ଭାସୁଥିବା ଦେଖିବାକୁ ମିଳୁଛି । ପ୍ରଚୁର ପରିମାଣର ରାସାୟନିକ ଆବର୍ଜନା ମିଶୁଥିବାରୁ ପାଣିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଛି । ପଳାସୁଣି ଗ୍ରାମ୍ୟ ବିକାଶ କମିଟି ଉପସଭାପତି ରମେଶ ସାହୁ କହିଛନ୍ତି ଲୋକଙ୍କ ଅଭିଯୋଗ ପରେ କିଛି ବର୍ଷ ତଳେ ଗଙ୍ଗୁଆନାଳ ଓ ବୁଡ଼ୁନାଳ ଅଲଗା ହେବା ସ୍ଥାନରେ ଏକ ବନ୍ଧ କରାଯାଇଥିଲା । ବୁଡ଼ୁନାଳକୁ ଡ୍ରେନ୍‌ ପାଣି ଆସିବାକୁ ଅବରୋଧ ରାଯାଇଥିଲା । କିନ୍ତୁ ପରେ ଏହି ବନ୍ଧ ଭାଙ୍ଗି ଯାଇଥିଲା । ଏହି ବନ୍ଧକୁ ଆଉ ନିର୍ମାଣ କରୁନାହିଁ ଡ୍ରେନେଜ୍‌ ବିଭାଗ । ଫଳରେ ଡ୍ରେନ୍‌ ପାଣି ସିଧାସଳଖ କୂଆଖାଇ ନଦୀରେ ମିଶୁଛି । ସେହି ପାଣିକୁ ‌ୱାଟ୍‌କୋ ଭୁବନେଶ୍ବରବାସୀଙ୍କୁ ପିଇବାକୁ ଯୋଗାଉଛି । ଏହା ସ୍ଲୋ-ପଏଜନ୍‌ ଭଳି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଏନେଇ ଓଡ଼ିଶା ଜଳ ନିଗମ (ୱାଟ୍‌କୋ)ର ଆସିଷ୍ଟାଣ୍ଟ ମ୍ୟାନେଜର୍‌ ଭାରତ ଭୂଷଣ ପଣ୍ଡା କହିଛନ୍ତି ଯେ ପ୍ରତିଦିନ ୯୦ ମିଲିଅନ୍‌ ଲିଟର ପାଣି ସହରବାସୀଙ୍କୁ ଦିଆଯାଉଛି । ପ୍ରାୟ ୮ ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଆମେ କୂଆଖାଇରୁ ୧୪ଟା ପମ୍ପରେ ପାଣି ଉଠାଉଛୁ । ତିନିଟି ଟ୍ରିଟ୍‌ମେଣ୍ଟ ଟ୍ୟାଙ୍କ୍‌ରେ ର-ୱାଟର୍‌କୁ ଟ୍ରିଟ୍‌ମେଣ୍ଟ କରୁଛୁ । ପାଣିକୁ ଲ୍ୟାବ୍‌ରେ ଟେଷ୍ଟ କରାଯିବା ପରେ ସପ୍ଲାଏ କରଛୁ । କିନ୍ତୁ ପାଣିରେ ଡ୍ରେନ୍‌ ପାଣି ମିଶିବା ଦ୍ବାରା ଆମେ ସମସ୍ୟାରେ ପଡ଼ୁଛୁ । ବିଷାକ୍ତ ପାଣି ନଦୀରେ ମିଶୁଛି, ହେଲେ ଆମେ ବିଶୋଧନ କରି ଯୋଗାଣ କରୁଛୁ । ଡ୍ରେନ୍‌ ପାଣି କୂଆଖାଇକୁ ନ ଛାଡ଼ିବା ପାଇଁ ଆମେ ଖୋର୍ଦ୍ଧା ଡ୍ରେନେଜ୍‌ ଡିଭିଜନକୁ ବାରମ୍ବାର ଜଣାଇଛୁ । ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ତତ୍ପରତା ଦେଖାଉନାହାନ୍ତି । ଏହା ଆମ ଆୟତ୍ତରେ ନଥିବାରୁ ଆମେ ନିରୁପାୟ ବୋଲି ସେ କହିଛନ୍ତି । ଏନେଇ ଡ୍ରେନେଜ୍‌ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ସ୍ଥାନୀୟ ବାସିନ୍ଦା ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *