ଶିଳ୍ପ ଶୋଷୁଛି ପାଣି, ବିପଦ‌ରେ ବୈତରଣୀ : ୮୧ଟି ଶିଳ୍ପସଂସ୍ଥାକୁ ଗଭୀର ନଳକୂପ ଖୋଳିବା ପାଇଁ ମିଳିଛି ଅନୁମତି

କେନ୍ଦୁଝର : ନଦୀକୁ ନେଇ ସରକାରଙ୍କ ଅନେକ ଯୋଜନା । ନଦୀ ଜଳର ସୁପରିଚାଳନା ଏବଂ ଏହାକୁ ବ୍ୟବହାର କରି କୃଷିର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନାରେ ନଦୀ ସଂଯୋଗୀକରଣ ଠାରୁ ଆରମ୍ଭ କରି ଜଳଭଣ୍ଡାର ନିର୍ମାଣ ପରି ଅନେକ କାମ କରୁଛନ୍ତି । ହେଲେ, ଅଧିକାଂଶ କ୍ଷେତ୍ରରେ ଏସବୁ ଯୋଜନାର ସଠିକ ରୂପାୟନ ହୋଇପାରୁ ନାହିଁ । ଯାହାଫଳରେ, ବୈତରଣୀ ଭଳି ବଡ଼ ନଦୀ ଆଜି ବିପଦରେ ରହିଛି । ନଦୀରୁ ବିଭିନ୍ନ ଶିଳ୍ପସଂସ୍ଥା ଯେଭଳି ଜଳ ଶୋଷୁଛନ୍ତି, ଆଉ କିଛିବର୍ଷ ପରେ ଏହା ମୃତନଦୀ ପାଲଟିଯିବାର ଆଶଙ୍କା ରହିଛି ।

କେନ୍ଦୁଝର ଜିଲ୍ଲାର ଗୋନାସିକାରୁ ବାହାରିଥିବା ବୈତରଣୀ ନଦୀରେ ଏକାଧିକ ନାଳ ଓ ଉପନଦୀ ମିଶିଛନ୍ତି । ଉପର ମୁଣ୍ଡରେ ବୈତରଣୀରେ ସୁନାନଦୀ, ମଲଦା, ଜଳପା, ରାଣୀମା ଭଳି ଉପନଦୀ ମିଶିଥିବାବେଳେ ତଳ ଭାଗରେ ପ୍ରାୟ ୨୦ ରୁ ଊର୍ଦ୍ଧ୍ବ କଙ୍ଗିରା, ମାଛକାନ୍ଦଣା, ଅରଡେଇ, କାନଝାରୀ, ସୀତା, କୁକୁରକଟା, ମୁଷଳ, କୁଶେଇ, ଖଈରୀଭଣ୍ଡନ, ଦେଓ, ତେଲ, ସିମିସିମି, ସାଳନ୍ଦୀ, କୁନ୍ଦୁର, ଧୋବାପିଟା, ଟମକାଯୋଡ଼ି, ଶଗଡ଼ିଆ, ଚାଟୁରୀ, କଣ୍ଟାମୂଳି, ଜହ୍ନେଇ, ନେଉଳଜୋରୀ, ମୁହାଁଣ, ସିମିଳି, ତଣ୍ଡିଯୋଡ଼ା, ଭାଲୁଘର, ଦଲକି ଭଳି ଉପନଦୀ ମିଶିଛନ୍ତି । ଏହା ଦ୍ବାରା ବୈତରଣୀ ନଦୀ ସମୃଦ୍ଧ ହୋଇଛି । ହେଲେ, ପୁଣ୍ୟତୋୟା ବୈତରଣୀ ଏବେ ଶୋଷଣର ଶିକାର ହେଉଛି । ବର୍ଷାଦିନେ ବୈତରଣୀ ବନ୍ୟାଜଳ ଉବୁଟୁବୁ ହେଉଥିବା ବେଳେ ଖରାଦିନେ ପାଦ ବୁଡ଼େଇବାକୁ ପାଣି ମିଳେନା । ଖରାଦିନେ ପ୍ରାୟ ୪ ମାସ ପର୍ଯ୍ୟନ୍ତ ବୈତରଣୀରେ ପାଣି ନଥାଏ । ତେବେ, ଖରାଦିନେ ବୈତରଣୀରେ ପାଣି ରହିବା ପାଇଁ ଯେଉଁ ଉପାୟ ଅବଲମ୍ବନ କରାଯିବା କଥା ତାହା କରା ନଯାଇ ଏହାକୁ ଶୁଖିଲା ପକାଇବାକୁ ଛାଡ଼ି ଦିଆଯାଉଛି । ବିଶେଷକରି, ବୈତରଣୀ‌ କୂଳରେ ଗଢ଼ିଉଠିଥିବା ବିଶାଳ ଶିଳ୍ପସଂସ୍ଥାମାନେ ହିଁ ବୈତରଣୀ ଶୁଖିଲା ପଡ଼ିବାପାଇଁ ଦାୟୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ, ନଦୀର ଉପରମୁଣ୍ଡରୁ ଦୁଇଟି ଉପାୟରେ ଶତାଧିକ ଶିଳ୍ପସଂସ୍ଥା ଜଳ ସଂଗ୍ରହ କରିଥାନ୍ତି । ପ୍ରଥମତଃ ନଦୀରୁ ସିଧାସଳଖ ଭାବେ କିଛି ଶିଳ୍ପସଂସ୍ଥା ଇନ୍‌ଟେକ୍‌ ୱେଲ୍‌ କରି ଜଳ ସଂଗ୍ରହ କରୁଥିବାବେଳେ ଆଉ କିଛି ଗଭୀର ନଳକୂପ ଖନନ କରି ଜଳ ସଂଗ୍ରହ କରୁଛନ୍ତି । କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ସୂଚନା ଅନୁସାରେ, କେନ୍ଦୁଝରରେ ୮୧ଟି ଶିଳ୍ପସଂସ୍ଥାକୁ ଗଭୀର ନଳକୂପ ଖୋଳିବା ପାଇଁ ଅନୁମତି ଦିଆଯାଇଛି । ସବୁଠୁ ବଡ଼ କଥା ହେଉଛି ବୈତରଣୀ କୂଳ‌ରେ ଏହି ସବୁ ଶିଳ୍ପସଂସ୍ଥାଗୁଡ଼ିକ ଥିବାରୁ ବହୁଳମାତ୍ରା‌ରେ ଭୂତଳ ଜଳ ସଂଗ୍ରହ କରିବାଦ୍ବାରା ବୈତରଣୀ ସିଧାସଳଖ ପ୍ରଭାବିତ ହେଉଛି । ବର୍ଷାଦିନେ ନିୟମିତ ବର୍ଷା ଯୋଗୁ ଶିଳ୍ପସଂସ୍ଥାଗୁଡ଼ିକ ମନଇଚ୍ଛା ପାଣି ଶୋଷିଲେ ବି ବୈତରଣୀରେ ପାଣି ରହିଥାଏ । ମାତ୍ର, ଖରାଦିନେ ପ୍ରଥମତଃ ବୈତରଣୀରେ ଜଳସ୍ରୋତ କମ୍‌ ଥାଏ । ଦ୍ବିତୀୟରେ ଶିଳ୍ପସଂସ୍ଥା ପାଣି ଶୋଷୁଥିବାରୁ ବୈତରଣୀ ଶୁଖିଲା ପଡ଼ିଥାଏ ।

କେନ୍ଦ୍ର ଜଳ ଆୟୋଗ (ସିଡବ୍ଲ୍ୟୁସି) ବିଭିନ୍ନ ଶିଳ୍ପସଂସ୍ଥାଙ୍କ ଜଳ ସଂଗ୍ରହ ସଂପର୍କରେ ଏକ ଆକଳନ ମଧ୍ୟ କରିଛନ୍ତି । ୧୯୯୨ ମସିହାଠାରୁ ୨୦୦୯ ପର୍ଯ୍ୟନ୍ତ ଜଳ ବ୍ୟବହାର ତଥ୍ୟକୁ ଆଧାର କରି କମିସନ ଆକଳନ କରିଛନ୍ତି ଯେ, ଆଗାମୀ ଦିନରେ ବୈତରଣୀର ଉପରମୁଣ୍ଡ ବାସୁଦେବପୁର ଦେଇ ଯେତିକି ପରିମାଣର ଜଳ ପ୍ରବାହିତ ହେଉଛି, ସେଥିରୁ ସର୍ବାଧିକ ଶିଳ୍ପସଂସ୍ଥା ଶୋଷି ନେବେ । ଅର୍ଥାତ ମାର୍ଚ୍ଚ ମାସରେ ୭୨ ପ୍ରତିଶତ ଜଳ ବିଭିନ୍ନ ଶିଳ୍ପସଂସ୍ଥା ପାଇଁ ଆବଶ୍ୟକ ହେବାକୁ ଥିବାବେଳେ ଏପ୍ରିଲରେ ଏହା ୮୭ ପ୍ରତିଶତକୁ ବୃଦ୍ଧି ପାଇବ । ମେ ମାସରେ ୪୯ ପ୍ରତିଶତ ଜଳ ବିଭିନ୍ନ ଶିଳ୍ପସଂସ୍ଥାମାନେ ‌‌ଶୋଷି ନେବେ । ଅର୍ଥାତ୍‌ ବୈତରଣୀ ବର୍ଷାଦିନେ ବନ୍ୟା ପ୍ଲାବିତ ହେଲେ ବି ଖରାଦିନେ ଶୁଖିଯିବା ନିଶ୍ଚିତ । ତେଣୁ ବୈତରଣୀକୁ ସୁରକ୍ଷିତ ରଖିବାପାଇଁ ଏବେଠୁ ଉଦ୍ୟମ ଆରମ୍ଭ ନହେଲେ ଦିନେ ଏହା ମୃତନଦୀରେ ପରିଣତ ହେବାର ଆଶଙ୍କା ରହିଛି ।

Leave a Reply

Your email address will not be published. Required fields are marked *