ଯାଜପୁର : ଯାଜପୁରର ପବିତ୍ର ବୈତରଣୀ ବରାହ ଦ୍ବୀପାଞ୍ଚଳରେ ମାତିଛନ୍ତି ବାଲି ମାଫିଆ । ରାତି ସମୟରେ ନଦୀଗର୍ଭରୁ ବାଲି ତାଡ଼ି ଉତ୍ତୋଳନ କରୁଥିବା ବେଳେ ଦିନବେଳା ଚୁପ ରହୁଛନ୍ତି । ଯାଜପୁର ତହସିଲର ଆଖି ଆଗରେ ଏଭଳି ବାଲି ଚୋରି ହେଉଥିଲେ ବି କାର୍ଯ୍ୟାନୁଷ୍ଠାନ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବାଲି ମାଫିଆଙ୍କ କାରନାମାକୁ ନେଇ ସଂପ୍ରତି ଯାଜପୁର ଜିଲ୍ଲା ଚର୍ଚ୍ଚାରେ। ବିଂଝାରପୁରରେ ବୋମାମାଡ଼ କରି ଲିଜ୍ଧାରୀଙ୍କୁ ହତ୍ୟା ଘଟଣା ପରେ ଦଶରଥପୁରରେ ତହସିଲଦାରଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ସମୟରେ ଯାଜପୁର ତହସିଲ ଅଧୀନରେ ଦିନକୁ ଦିନ ନିଲାମ ଘାଟ ତୁଳନାରେ ଚୋରା ବାଲି ଉତ୍ତୋଳନ ବଢ଼ିବାରେ ଲାଗିଛି । ବାଲିରୁ ପ୍ରଚୁର ଅର୍ଥାଗମ ହେଉଥିବାରୁ ଏଭଳି ବେଆଇନ କାରବାର ବଢ଼ିଚାଲିଛି ଏବଂ ତା’ ସହିତ ଅପରାଧ ମଧ୍ୟ । ତେଣୁ ବୁଢ଼ା, ଖରସ୍ରୋତା ଓ ବୈତରଣୀ ନଦୀର ବିଭିନ୍ନ ସ୍ଥାନରୁ ବାଲି ମାଫିଆ ବାଲି ଉଠାଇବାକୁ କେନ୍ଦ୍ରକରି ଭବିଷ୍ୟତରେ ଯେ କୌଣସି ଅଘଟଣ ନଘଟିବ କହିହେବ ନାହିଁ । ତେଣୁ ‘ବେଳହୁଁ ସାବଧାନ’ ନୀତିରେ ତହସିଲ କର୍ତ୍ତୃପକ୍ଷ ସଜାଗ ନହେଲେ ଭୟାବହ ପରିସ୍ଥିତି ହେବାର ଆଶଙ୍କା ଏଡ଼ାଇ ଦିଆଯାଇ ନପାରେ । ଅନ୍ୟପଟେ ବାଲି ମାଫିଆଙ୍କ ବିରୋଧରେ ଯିବାରେ ବିପଦ ଥିବାବେଳେ ବରଂ ନିରବ ରହି ପରୋକ୍ଷରେ ସହଯୋଗ ଦେଲେ ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ଫାଇଦା । ଉପଯୁକ୍ତ ସୁରକ୍ଷା ବିନା ଅଧସ୍ତନ କର୍ମଚାରୀମାନେ ଦ୍ବିତୀୟ ପନ୍ଥାକୁ ଆପଣାଇବାକୁ ଶ୍ରେୟସ୍କର ମଣୁଛନ୍ତି । ଏହାର ପ୍ରଭାବ ବାଲିଘାଟରେ ଦେଖିବାକୁ ମିଳୁଛି ।

ଯାଜପୁର ତହସିଲର ବରାହଘାଟରୁ ଜଣେ ସ୍ଥାନୀୟ ବ୍ୟକ୍ତି ନିଜସ୍ବ ୨ଟି ଜେସିବି ଓ ୫ଟି ଟ୍ରାକ୍ଟର ଜରିଆରେ ବାଲି ଉତ୍ତୋଳନ କରି ବରାହ ମନ୍ଦିର ପଛ ପାଖରେ ଗଦା କରୁଛନ୍ତି । ସଂପୃକ୍ତ ବ୍ୟକ୍ତି ରାତି ସମୟରେ ବାଲି ଉଠାଉଥିବାବେଳେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରି ରଖିଛନ୍ତି । ଚୋରା ବାଲିକୁ ସରକାରୀ ଜାଗାରେ ଗଚ୍ଛିତ ରଖୁଥିଲେ ମଧ୍ୟ ତହସିଲ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିପାରୁ ନାହିଁ । ଏହା ଦ୍ବାରା ବରାହ ମନ୍ଦିର ଓ ଚତୁଃପାର୍ଶ୍ବକୁ ବିପଦମୁହଁକୁ ଠେଲି ଦିଆଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ସେହିପରି ଯାଜପୁର ସହର ନିକଟ ବୁଢ଼ାନଦୀର ମଲ୍ଲିକାପୁର ଘାଟ ନିକଟରୁ ସ୍ଥାନୀୟ ନେତା ରାତି ସମୟରେ ଶହଶହ ଟ୍ରାକ୍ଟର ବାଲି ଉଠାଇ ବିକ୍ରି କରୁଛନ୍ତି । ତହସିଲଦାର ଏ ବିଷୟରେ ଜାଣିଛନ୍ତି ବୋଲି ମାଫିଆ ଖୋଲାଖୋଲି କହୁଛନ୍ତି । ରାତି ତମାମ ଯାଜପୁର ସହରରେ ଚୋରା ବାଲି ପରିବହନ ହେଉଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ଶୂନ । ସକାଳ ହେଲେ ସବୁ ବନ୍ଦ ହୋଇଯାଉଛି । ଅନ୍ୟପଟେ ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଚୋରା ଚାଲାଣ ହେଉଥିବା ଜାଣିନଥିବା କହିଛନ୍ତି ।
