ପାଣି ଉତ୍ସ ନ ଖୋଜି ବିଛାଇଦେଲେ ପାଇପ୍‌

ସୁନ୍ଦରଗଡ଼ : କେଉଁଠାରୁ ପାଣି ଆସିବ, ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ । କୁହାଯାଉଛି ଯେ ଇବ୍‌ ନଦୀରେ ବନ୍ଧ ତିଆରି ହେଲେ ସେଥିରୁ ପାଣି ଯୋଗାଣ ହେବ । କିନ୍ତୁ ଖରାଦିନେ ଇବ୍‌ ଶୁଖିଲା ପଡ଼ୁଥିବାରୁ ସେଠାରୁ ଆବଶ୍ୟକ ପାଣି ମିଳିବା କଷ୍ଟ । ଏପଟେ ପାଇପ୍‌ ବିଛାରେ ଖର୍ଚ୍ଚ ହୋଇଛି ୩୫ କୋଟି । ଏହି ପାଇପ୍‌ ଯୋଗେ ଯେତିକି ବି ପାଣି ଆସୁଛି, ତାହାର ୩୦ ପ୍ରତିଶତରେ ଦିନକୁ ଅତିବେଶୀରେ ଅଧଘଣ୍ଟା ପାଣି ଯାଉଛି, ବାକି ୨୦ ପ୍ରତିଶତ ଅଂଶ ଶୁଖିଲା ପଡ଼ିଛି । ପାଣି କେଉଁଠୁ ଆସିବ ଠିକ୍‌ ହେବାପୂର୍ବରୁ ଏହିଭଳି ପାଇପ୍‌ ବିଛାଇବା ସରକାରୀ ଯୋଜନାର ବାସ୍ତବ ଦିଗ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । କାମରେ ନ ଆସି ମାଟିତଳେ ଥିବା ଉକ୍ତ ପାଇପ୍‌ଗୁଡ଼ିକର ସ୍ଥିତି ଏବେ କ’ଣ ହୋଇଥିବ, ତାହା ବି ସହଜରେ ଅନୁମେୟ। ସୁନ୍ଦରଗଡ଼ ପୌରପାଳିକାର ଏହି ଚିତ୍ର ଗୋଟିଏ ନମୁନା ମାତ୍ର ବୋଲି କୁହାଯାଉଛି ।

୨୦୧୪ରେ କୋପସିଂଘା ବ୍ୟାରେଜ୍‌ ପ୍ରସ୍ତାବ ସମୟରୁ ସୁନ୍ଦରଗଡ଼ ସହରକୁ ପାନୀୟଜଳ ଓ ତଳମୁଣ୍ଡକୁ ଜଳସେଚନ ସୁବିଧା ପାଇବା ସ୍ବପ୍ନ ଦେଖି ଆସିଛି ସୁନ୍ଦରଗଡ଼ । ଏହାମଧ୍ୟରେ ଇବ୍‌ ନଦୀରେ ବହୁ ପାଣି ବୋହି ମହାନଦୀରେ ମିଶିଗଲାଣି । କିନ୍ତୁ ସୁନ୍ଦରଗଡ଼ବାସୀଙ୍କ ସ୍ବପ୍ନ ଏ ଯାଏଁ ସାକାର ହୋଇପାରିନାହିଁ । ୨୦୧୪ରେ କୋପସିଂଘା ବ୍ୟାରେଜ ପ୍ରସ୍ତାବ ବାତିଲ ହେବାପରଠୁ ଇବ୍‌ ବ୍ୟାରେଜ ଏକ ପ୍ରହେଳିକା ପରି ସୁନ୍ଦରଗଡ଼କୁ ଗୋଡ଼ାଇ ଚାଲିଛି । କେବଳ ଗୋଟିଏ ପରେ ଗୋଟିଏ ପ୍ରସ୍ତାବ, ସର୍ଭେ ଓ ଅଟକଳରେ ଅଟକି ରହିଛି ସୁନ୍ଦରଗଡ଼ବାସୀଙ୍କ ବହୁ ପ୍ରତୀକ୍ଷିତ ଏହି ସ୍ବପ୍ନର ପ୍ରକଳ୍ପ । କୋପସିଂଘା ବାତିଲ ହେବାପରେ ଏକ କମ୍ ଉଚ୍ଚତା ବିଶିଷ୍ଟ ପକ୍କା ବନ୍ଧ ନିର୍ମାଣ କରିବାକୁ ପୌରପାଳିକା ଏକ ପ୍ରସ୍ତାବ ଗୃହୀତ କରି ତତ୍କାଳୀନ ଜିଲ୍ଲାପାଳ ଭୂପେନ୍ଦ୍ର ସିଂ ପୁନିଆଙ୍କୁ ଅନୁଦାନ ଯୋଗାଇବାକୁ ଅନୁରୋଧ କରିଥିଲା।

ଏଥିପାଇଁ ପ୍ରଥମେ ୩ କୋଟିର ବ୍ୟୟ ଅଟକଳ ଅନୁମୋଦିତ ହୋଇଥିଲା । ଶ୍ରୀ ପୁନିଆ ଯିବାପରେ ତାହା ବନ୍ଦ ହୋଇଗଲା । ତାଙ୍କ ପରେ ଆସିଥିବା ଜିଲ୍ଲାପାଳ ବିନିତ ଭରଦ୍ବାଜ ଏହାକୁ ୧୭ କୋଟି ଓ ପରେ ୩୩ କୋଟିକୁ ବୃଦ୍ଧି କରି ଆନିକଟ ନିର୍ମାଣ ପାଇଁ ଅନୁମୋଦନ କରିଥିଲେ । କିନ୍ତୁ ତାହା ମଧ୍ୟ ଫାଇଲ ଭିତରେ ବନ୍ଦ ପଡ଼ିରହିଲା । ସୁରେନ୍ଦ୍ର କୁମାର ମୀନା ଜିଲ୍ଲାପାଳ ଭାବେ ଯୋଗଦେବା ପରେ ଜଳସେଚନ ବିଭାଗ ଦ୍ବାରା ୬୬ କୋଟିର ପିକ୍‌-ଅପ୍‌ ୱେର୍‌ ବ୍ୟାରେଜ୍‌ ପାଇଁ ପ୍ରସ୍ତାବ ଆସିଲା ଓ ଏହାର ପ୍ରକଳ୍ପ ସବିଶେଷ ବିବରଣୀ ପ୍ରସ୍ତୁତ ପାଇଁ ୬୬ ଲକ୍ଷ ଅନୁମୋଦନ କରାଯାଇଥିଲା ।

ଜଳସେଚନ ବିଭାଗ ସର୍ଭେରେ ସାରିଦେଲେ ସବୁ ଟଙ୍କା । କିନ୍ତୁ ବ୍ୟାରେଜ୍‌ ସେମିତି ଫାଇଲରେ ପଡ଼ିରହିଲା । ଏପରିକି ଇବ୍‌ ନଦୀ ଉପରେ ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନାରେ ବ୍ରିଜ୍‌ କମ୍‌ ବ୍ୟାରେଜ୍‌ର ପ୍ରସ୍ତାବ ଆସିଥିଲେ ମଧ୍ୟ ତାହା ରାଜନୀତିର ଚକ୍ରବ୍ୟୂହରେ ପଡ଼ି କୁଆଡ଼େ ଉଭେଇଗଲା । ଏହାପରେ ଇବ୍‌ ବ୍ୟାରେଜ ପାଇଁ ଆଉ ଏକ ନୂଆ ପ୍ରସ୍ତାବ ଆସିଲା । ପ୍ରକଳ୍ପର ବୈଷୟିକ ଅନୁମୋଦନ ପରେ ୨୦୧୯ ନଭେମ୍ବରରେ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୬୮.୧ କୋଟି ଟଙ୍କା ମଞ୍ଜୁର କରି ଜଳ‌ସେଚନ ବିଭାଗକୁ ଟେଣ୍ଡର ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ତାହା ଟେଣ୍ଡର ନହୋଇ ପଡ଼ିଥିବା ବେଳେ ଜଳସେଚନ ବିଭାଗ ୨୧୭ କୋଟିର ଅନ୍ୟ ଏକ ପ୍ରକଳ୍ପ ପାଇଁ ପ୍ରକଳ୍ପ ସବିଶେଷ ତଥ୍ୟ ପ୍ରସ୍ତୁତ କରୁଥିବା କୁହାଯାଇଥିଲା‌, ତାହା କେତେ ବାଟ ଯାଇଛି, ବ୍ୟାରେଜ୍‌ କାମ କେବେ ହେବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *