ସମ୍ବଲପୁର : ମହାନଦୀ ମାରିବାକୁ ଛତିଶଗଡର ମହା ଅଭିଯାନ । ବନ୍ଦ ହେଲା କଲମାର ସବୁ ଗେଟ । ବର୍ତ୍ତମାନ ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ମୁନ୍ଦାଏ ବି ପାଣି ଆସୁନି । ଯାହା ଆଗକୁ ମହାବିପଦର ସାମ୍ନା କରିବ ମହାନଦୀ ।
ଖବର ଅନୁଯାୟୀ, ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ରହିଛି ୬୧୮.୦୮ ଫୁଟ । ଯାହା ୨୦୨୦ରେ ଆଜିର ଦିନରେ ୬୨୨.୮୯ ଫୁଟ ରହିଥିଲା । ଚଳିତ ବର୍ଷ ବର୍ଷା କମ ସାଙ୍ଗକୁ ଅଣମୌସୁମୀ ସମୟରେ ଗେଟ୍ ବନ୍ଦ କରିବା ଛତିଶଗଡର ମନମାନି ବୋଲି କୁହାଯାଇପାରେ । ଆଜିର ଦିନରେ ଜଳଭଣ୍ଡାରକୁ ଜଳପ୍ରବେଶ ନଥିବା ବେଳେ ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ୧୬୪୭୬ କ୍ୟୁସେକ ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି । ତେବେ ଏପ୍ରିଲରୁ ଯଦି ଏଭଳି ସ୍ଥିତି ଉତ୍ପନ୍ନ ହେଲାଣି ତେବେ ଆଗକୁ କ’ଣ ହେବ ସ୍ଥିତି, ତାହା ଜଳ ଜଳ ହୋଇ ଦିଶିଲାଣି ।
ଅନ୍ୟ ପକ୍ଷରେ ଗତ ଜାନୁଆରୀ ମାସରେ ୦.୩୩୨ ମିଲିୟନ ଏକର ଫୁଟ ଜଳ ହୀରାକୁଦ ଜଜ ଭଣ୍ଡାରକୁ ଆସିଥିବାବେଳେ, ଫେବୃଆରୀ ମାସରେ ତାହା କମି ୦.୧୬୪ ମିଲିୟନ ଫୁଟ ହୋଇଛି । ମାର୍ଚ୍ଚରେ ତାହା ପୁଣି କମିଆସି ୦.୧୧୩ ମିଲିୟନ ଏକର ଫୁଟ୍ ରେ ପହିଂଚିଛି ।
