ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳୁଛି ଶିକ୍ଷା ବିଭାଗ, ପିଲା ବାରଣ୍ଡାରେ ଶିକ୍ଷକ ବସୁଛନ୍ତି ଗଛ ମୂଳେ

ବାସୁଦେବପୁର : ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ସୁଦୃଢତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ସହିତ ମାଳ ମାଳ ଯୋଜନା । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାକୁ 5t ରେ ସାମିଲ କରି କିଛି ଭିତିଭୂମି ଥିବା ସ୍କୁଲକୁ ହାଇଟେକ କରିବା ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଉଦେଶ୍ୟ ଅଛି ଉନ୍ନତି ଶିକ୍ଷା ସହିତ ପରିବେଶ ଉପରେ ଧ୍ୟାନ ଦେଉଛନ୍ତି ସରକାର । ‘ସଭିଏ ପଢନ୍ତୁ ସଭିଏ ବଢନ୍ତୁ’ ନାରା ଦେଇ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜକୋଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ଏମିତି କିଛି ବିଦ୍ୟାଳୟ ଦୃଶ୍ୟ ଦେଖିଲେ ଲାଗୁଚି ଶିକ୍ଷା ବିଭାଗ ଏବେ କୋମାରେ । କୌଣସି ଉପାନ୍ତ ଅଂଚଳ ନୁହେଁ, ଚିତ୍ର ହେଉଛି ଓଡିଶାକୁ ଦୁଇ ଦୁଇଟି ମୁଖ୍ୟମନ୍ତ୍ରୀ ଦେଇଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଭୋଇସାହି ପ୍ରାଥମିକ ବିଦ୍ୟାଳୟର । ସ୍କୁଲ କାନ୍ଥ ଫାଟି ଗଲାଣି, ଛାତରୁ ପ୍ଲାଷ୍ଟର ଝଡ଼ୁଛି, ଯାହା ଫଳରେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି ପିଲାମାନେ ।

ଏହି ବିଦ୍ୟାଳୟଟି ୧୩୭ ବର୍ଷର ପୁରୁଣା ବିଦ୍ୟାଳୟ ଟିଏ ହେଇଥିବା ବେଳେ କାହିଁକି ଏତେ ଅବ୍ୟବସ୍ଥା । ସବୁଠୁ ବଡ଼ କଥା ହେଲା ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଯାଏ ଆଠଟି ଶ୍ରେଣୀରେ ଶହେରୁ ଉର୍ଦ୍ଧ ପିଲା ପାଠ ପଢୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଶ୍ରେଣୀ ଗୃହ ପାଞ୍ଚଟି ଏବଂ ତାହା ମଧ୍ୟରୁ ତିନୋଟି ଶ୍ରେଣୀ ଗୃହର ସ୍ଥିତି ଅତ୍ୟନ୍ତ ଶଙ୍କଟାପର୍ଣ୍ଣ । ଛାତ କେବେ ବି ଭୁଶୁଡି ପାରେ ଏବଂ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିବାରୁ ବିଦ୍ୟାଳୟ ବାରଣ୍ଡାରେ ବାଧ୍ୟ ହୋଇ ପାଠ ପଢୁଛନ୍ତି କୋମଳମତି ପିଲାମାନେ । ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କୁ ପାଠ ପଢାଇବାକୁ ଅଛନ୍ତି ମାତ୍ର ଚାରି ଜଣ ଶିକ୍ଷକ । ତେବେ ଏହି ସବୁ ବ୍ୟାପକ ଅସୁବିଧା କାରଣରୁ ପିଲାମାନେ ଠିକ ଭାବରେ ପାଠ ପଢି ପାରୁନାହାନ୍ତି । ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଏଥିପ୍ରତି କାହାରି ନିଘା ନାହିଁ । କୋମଳମତି ଶିଶୁମାନଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧକାର ଆଡକୁ ଗତି କରୁଛି ।

Leave a Reply

Your email address will not be published. Required fields are marked *