ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଜୀବନଜୀବିକା ସ୍ୱାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାରର କୋଭିଡ୍ କଟକଣାକୁ ହଟାଇ ଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ କୋଭିଡ୍ ପରିଚାଳନା ସଂକ୍ରାନ୍ତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି ରାଜ୍ୟ ସରକାର। ଏହା ସତ୍ତ୍ବେ କରୋନା ସଂକ୍ରମଣ ଆଳରେ ଲୋକସେବା ଭବନରେ ପ୍ରବେଶ ପାଇଁ ସାମ୍ବାଦିକଙ୍କ ଉପରେ ଲାଗୁ କରାଯାଇଥିବା କଟକଣା ପ୍ରତ୍ୟାହାର କରାଯାଇନାହିଁ । ରାଜ୍ୟରେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପ୍ରକ୍ରିୟା ସ୍ବାଭାବିକ ହୋଇଥିବାବେଳେ ସମସ୍ତ କଟକଣା ଉଠିଗଲାଣି । ଏସବୁ ଭିତରେ କେଉଁ କାରଣରୁ ସାମ୍ବାଦିକଙ୍କୁ ଲୋକସେବା ଭବନରେ ପ୍ରବେଶ ଅନୁମତି ମିଳୁନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରାଜ୍ୟ ସମେତ ସମଗ୍ର ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ପ୍ରାୟ ୫୦ରୁ କମ୍ ରହୁଛି । ଦୀର୍ଘ ପ୍ରାୟ ଦୁଇ ବର୍ଷ ଧରି ଲୋକସେବା ଭବନ ଭିତରକୁ ସାମ୍ବାଦିକମାନେ ପ୍ରବେଶ କରିପାରୁ ନ ଥିବାରୁ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇପାରୁ ନାହାନ୍ତି । ରାଜ୍ୟରେ ରାଜନୈତିକ ଶୋଭାଯାତ୍ରା, ନିର୍ବାଚନ ପ୍ରଚାର, ବାହାଘର ଭଳି ସମସ୍ତ କାର୍ଯ୍ୟକ୍ରମକୁ ଅନୁମତି ମିଳିସାରିଲାଣି । ଗଣମାଧ୍ୟମ ପ୍ରତିନିଧି ଲୋକସେବା ଭବନ ଓ ବିଧାନସଭା ଲବିକୁ ପ୍ରବେଶ ନେଇ ଗୃହରେ ଦାବି ଉଠିଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ଏହି ପ୍ରସଙ୍ଗକୁ ନେଇ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ୍ ଗୃହରେ ଉଦବେଗ ପ୍ରକାଶ କରିଥିଲେ । ବହୁବାର ସାମ୍ବାଦିକ ସଂଘ ସମେତ ବହୁ ସାମାଜିକ ସଙ୍ଗଠନ ଲୋକ ସେବା ଭବନରେ ପ୍ରବେଶ କଟକଣା ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ମଧ୍ୟ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଇନି ।
କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଗଣତନ୍ତ୍ରର କଣ୍ଠରୋଧ କରିବାକୁ ରାଜ୍ୟ ସରକାର ପ୍ରୟାସ କରିଆସୁଛନ୍ତି । କଟକ ଏସ୍ସିବି ମେଡିକାଲରେ ସାମ୍ବାଦିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ସରକାର । ଲୋକଙ୍କ ଅର୍ଥରେ ଚାଲିଥିବା ଲୋକସେବା ଭବନକୁ ସାମ୍ବାଦିକକୁ ପ୍ରବେଶ ଅନୁମତି ମିଳୁନି । ଦୁର୍ନୀତି ଓ ସତ୍ୟ ପଦାକୁ ଆସିବାର ଭୟ ଥିବାରୁ ଲୋକସେବା ଭବନକୁ ପ୍ରବେଶ କଟକଣା ରଖାଯାଇଛି । ଏହି ନିଷ୍ପତ୍ତି ବିରୋଧରେ ଆମେ ନ୍ୟାୟପାଳିକାଙ୍କ ନିକଟରେ ଫେରାଦ ହେବୁ । ବିଜେପି ମୁଖପାତ୍ର ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ରାଜ୍ୟ ସରକାର ଏକଚ୍ଛତ୍ରବାଦୀ ଶାସନ କରୁଛନ୍ତି। ଦୁର୍ନୀତି ଲୋକଲୋଚନକୁ ଆସିବାର ଭୟ ଥିବାରୁ ଦୀର୍ଘ ଦିନ ଧରି ଲୋକସେବା ଭବନ ଓ ବିଧାନସଭା ଲବି ଉପରେ କଟକଣା ରଖାଯାଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ସରକାରଙ୍କ ଏଭଳି କଟକଣା ନିନ୍ଦନୀୟ । ଦୁର୍ନୀତି ଲୁଚାଇବାକୁ ସରକାରଙ୍କ ଏହା ଏକ ହୀନ ପ୍ରୟାସ ବୋଲି ସେ କହିଛନ୍ତି।
