ପରିବର୍ତ୍ତନ ହେବ ପୌର ନିର୍ବାଚନ ନିୟମ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ନିୟମରେ ଯେଭଳି ସଂଶୋଧନ ଅଣାଯାଇଥିଲା ଠିକ୍ ଅନୁରୂପ ଭାବେ ପୌରାଞ୍ଚଳ ଉପାଧ୍ୟକ୍ଷ ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ଲାଗୁ ହେବ । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଜିଲା ପରିଷଦ ଉପାଧ୍ୟକ୍ଷ ନିର୍ବାଚନ ବେଳେ ଯେଭଳି ଦଳୀୟ ପ୍ରାଧିକୃତ ପ୍ରତିନିଧି(ଏଜେଣ୍ଟ)ଙ୍କୁ ଉପସ୍ଥିତ ରହିବାକୁ ଅନୁମତି ମିଳିଥିଲା ଠିକ୍ ସେହି ନିୟମ ପୌରାଞ୍ଚଳ ଉପାଧ୍ୟକ୍ଷ ନିର୍ବାଚନ କ୍ଷେତ୍ରରେ ଲାଗୁ ହେବ । ଆଗକୁ ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିୟମରେ ପରିବର୍ତ୍ତନ ଅଣାଯିବାକୁ ରହିଛି । ଯାହା ଦ୍ବାରା ପୌର ଉପାଧ୍ୟକ୍ଷ ଓ ଡେପୁଟି ମେୟର ନିର୍ବାଚନ ବେଳେ ଜଣେ ଲେଖାଏଁ ଦଳୀୟ ପ୍ରତିନିଧି ଉପସ୍ଥିତ ରହିପାରିବେ ।

ଦଳୀୟ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀମାନେ କାହାକୁ ଭୋଟ ଦେଲେ ତାହା ଜାଣିହେବ । ପୂର୍ବରୁ ଏହି ନିୟମ ନଥିଲା । ତେଣୁ ଦଳୀୟ ‘ହୁଇପ୍’ ଲାଗୁ ହେଉଥିଲେ ହେଁ ତାହା ସ୍ଥଳବିଶେଷରେ କାଟୁ କରୁ ନ ଥିଲା । ଏହାକୁ ଦୃଷ୍ଟିରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଶେଷ ହୋଇଥିଲେ ହେଁ ଘୋଷଣା ବାକି ଅଛି । ଅନ୍ୟପକ୍ଷରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ ଆସନ୍ତା ୭ ତାରିଖରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ସେହିପରି ଏପ୍ରିଲ ୮ରେ ଭୁବନେଶ୍ବର, କଟକ ଓ ବ୍ରହ୍ମପୁରର ଡେପୁଟି ମେୟର ନିମନ୍ତେ ନିର୍ବାଚନ ହେବ । ଏଥିଲାଗି ମାର୍ଚ୍ଚ ୩୧ରେ ମେୟର ଓ ପୌରାଧ୍ୟକ୍ଷସ୍ତରରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *