ଭୁବନେଶ୍ବର : ଦ୍ରୁତ ଜନସଂଖ୍ୟା ବୃଦ୍ଧି ଓ ଜୀବନ ଶୈଳୀରେ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ କଳକାରଖାନାମାନ ଗଢ଼ି ଉଠୁଛି । ଏଥିରୁ ନିର୍ଗତ ଅଙ୍ଗାରକାମ୍ଳ ବାୟୁମଣ୍ଡଳର ଓଜନସ୍ତର ଉପରେ ପ୍ରଭାବ ପକାଉଛି । ଏହା ଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ମାନବ, ଜୀବ ଏବଂ ପ୍ରାଣୀଜଗତ ଉପରେ ପ୍ରଭାବ ପଡ଼ିବା ସହିତ ପରିବେଶ ପ୍ରଦୂଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଆଗାମୀ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳମୁକ୍ତ ଶକ୍ତି ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯାଇଛି । ଆଗାମୀ ୨୦୭୦ ସୁଦ୍ଧା ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଆଧାରିତ ସମସ୍ତ ସେବା କରାଯିବାକୁ ଲକ୍ଷ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଶିଳ୍ପ, କୃଷିଶିଳ୍ପଭିତ୍ତିକ, ରେଳବାଇ ପ୍ରଭୃତି କ୍ଷେତ୍ରରେ ଅଙ୍ଗାରକାମ୍ଳମୁକ୍ତ ଶକ୍ତି ବ୍ୟବହାର କରାଯିବ । କେନ୍ଦ୍ର ଶକ୍ତିମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକର ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ଓ ସବୁଜ ଶକ୍ତିର ସମ୍ପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ବ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ଏହି ପରିପ୍ରେକ୍ଷୀରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅଙ୍ଗାରକାମ୍ଳମୁକ୍ତ ଶକ୍ତି ଉତ୍ପାଦନ ଓ ବିନିଯୋଗ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଶକ୍ତି ଉତ୍ପାଦନ, ପରିବହନ, ଶିଳ୍ପ, କୃଷିଭିତ୍ତିକ ଶିଳ୍ପକୁ କିଭଳି ଅଙ୍ଗାରକାମ୍ଳ ବିହୀନ କରାଯାଇ ପାରିବ ତା’ ଉପରେ ଗୁରୁତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ସୌରଶକ୍ତି କିମ୍ବା ପବନଚାଳିତ ଶକ୍ତିର ବ୍ୟବହାର କରାଯାଇ ଶକ୍ତି ଚାହିଦା ପୂରଣ କରାଯିବ । ଏହା ସହିତ ଶକ୍ତି ସଂରକ୍ଷଣ କରିବା ଏବଂ କୃଷିଭିତ୍ତିକ ଶିଳ୍ପକୁ ୨୦୨୪ ସୁଦ୍ଧା ଅଙ୍ଗାରକାମ୍ଳ ମୁକ୍ତ କରାଯିବ । ଆଗାମୀ ଦିନରେ କିଭଳି ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ପ୍ରତିଷ୍ଠା ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦେଶ ଦେଇଛନ୍ତି । ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ରାଜ୍ୟରେ ଯେତେସବୁ କୃଷିଭିତ୍ତିକ ପ୍ରକଳ୍ପ ରହିଛି ସେଥିରେ ଯେପରି ଷ୍ଟାର ରେଟିଂ ପମ୍ପସେଟ୍ ଲାଗିବ ସେଥିପ୍ରତି ଗୁରୁତ୍ବ ଦିଆଯିବ, ଯଦ୍ବାରା ଆଗାମୀ ଦିନରେ ସେହିସବୁ ପ୍ରକଳ୍ପ ଅଙ୍ଗାରକାମ୍ଳମୁକ୍ତ ହୋଇପାରିବ ।
ବୈଠକର ସୂଚନା ଅନୁଯାୟୀ ଆଗାମୀ ୨୦୩୦ ସୁଦ୍ଧା ଦେଶରେ ଅକ୍ଷୟଶକ୍ତି ଉତ୍ସରୁ ୫୦୦ ଗିଗା ୱାଟ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରହିଛି । ଯାହା ଦ୍ବାରା ଦେଶର ଅଙ୍ଗାରକାମ୍ଳ ନିର୍ଗମନ ୫୦ ପ୍ରତିଶତ ହ୍ରାସ ପାଇବ । ଏହା ସହିତ ପ୍ରଚଳିତ ଶକ୍ତି ନୀତିରେ କେତେକ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି । ଆଗାମୀ ଦିନରେ ‘ପିଏମ-କୁସୁମ’ ଯୋଜନାରେ ଡିଜେଲ ପମ୍ପ ବ୍ୟବହାର କରାଯିବ ନାହିଁ । ପ୍ରତ୍ୟେକ ପମ୍ପିଂ କେନ୍ଦ୍ର ଓ ବର୍ଜ୍ୟ ନିଷ୍କାସନ ପ୍ରକଳ୍ପଗୁଡ଼ିକରେ ଅଙ୍ଗାରକାମ୍ଳବିହୀନ ଶକ୍ତି ବ୍ୟବହାର କରାଯିବ । ଯେଉଁ ସବୁ କୃଷିଶିଳ୍ପରେ ଡିଜେଲ ପମ୍ପ ଓ ଦକ୍ଷତା ବିହୀନ ଶକ୍ତି ଦ୍ବାରା ଚାଳିତ ହେଉଛି ତାହାକୁ ପରିବର୍ତ୍ତନ କରାଯିବ । ବୈଦ୍ୟୁତିକ ଯାନ ଓ ଏହାର ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହନ ଦିଆଯିବା ସହିତ ସବୁଜ ଶକ୍ତି ଦର ଧାର୍ଯ୍ୟ ଉପରେ ମୁଖ୍ୟସଚିବ ଶ୍ରୀ ମହାପାତ୍ର ଗୁରୁତ୍ବ ଦେଇଛନ୍ତି ।
