ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି କୋମଳ ମତି ଶିଶୁ, ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ଅଲେଖପୁର ଅଙ୍ଗନବାଡ଼ି କେନ୍ଦ୍ର

ବଣାଇ : କରୋନାର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାରେ ସାରା ରାଜ୍ୟରେ ଏବେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲା ଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୋଟ ଛୋଟ ଶିଶୁମାନେ ଉତ୍ସାହର ସହ ଆସୁଛନ୍ତି । କିନ୍ତୁ ବିଡ଼ମ୍ବନାର ବିଷୟ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଖୋଲିବା ପୂର୍ବରୁ ଘରର ଅବସ୍ଥିତି ତାର ପରିବେଶ କେମିତି ଅଛି ଅନ୍ତତଃ ଥରଟିଏ ପାଇଁ ବିଭାଗ ପକ୍ଷରୁ ତଦାରଖ କରିବା କଥା । ଏମିତି ଗୋଟିଏ ଦୃଶ୍ୟ ଦେଖିବାକୁ ମିଳିଛି ବଣାଇ ବ୍ଲକ୍ କେନ୍ଦ୍ରୀକଳା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅଲେଖପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ‌।

ଛାତରୁ ସିମେଣ୍ଟ ଖସି ଛଡ ଦେଖାଯାଉଥିବା ବେଳେ, ବର୍ଷା ଦିନ ହେଲେ ଛାତରୁ ପାଣି ଝରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଆଉ ଏବେ ଅଙ୍ଗନବାଡ଼ି ଖୋଲିଲା ପରେ ଛୋଟ ଛୋଟ କୋମଳମତି ଶିଶୁମାନେ ସେଇ ବିପଦ ସଙ୍କୁଳ ଘର ଟିରେ ପାଠପଢୁଥିବା ଦେଖିବାକୁ ମିଳିଛି । ପିଲାମାନଙ୍କୁ ଆନନ୍ଦମୟ ପରିବେଶ ଭିତରେ ଶିକ୍ଷା ଦାନ ନିମନ୍ତେ ବର୍ତ୍ତମାନ ଜିଲ୍ଲାର ଅନେକ ଗୁଡ଼ିଏ ଅଙ୍ଗନବାଡ଼ି କେନ୍ଦ୍ରକୁ ଵାଲା ମଡେଲ କରାଯାଉଛି । ତେଣୁ ସ୍ଥାନୀୟ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସହିତ ତୁରନ୍ତ ମରାମତି କରାଯାଇ ଉତ୍ତମ ପରିବେଶ ସୃଷ୍ଟି କରାଗଲେ ପିଲାମାନଙ୍କ ମାନସିକ ଓ ଶାରିରୀକ ବିକାଶରେ ଏହା ସହାୟକ ହେବ ବୋଲି ଗ୍ରାମବାସୀ ମତପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *