ଭଦ୍ରକ : ନିର୍ବାଚନ ଏକ ପ୍ରକ୍ରିୟା, ଜଣେ ଜିତିବ ତ ଅନ୍ୟମାନେ ହାରିବେ । କିନ୍ତୁ ଭୋଟ ଜନତାଙ୍କୁ ମାଗିବା ବେଳେ ବିଭିନ୍ନ ଆଶା ଓ ଆଶ୍ୱାସନା ଦେଉଥିବା ନେତା ଯେ ଏତେ ତଳକୁ ଯାଇପରନ୍ତି ତାହା ଭଦ୍ରକ ଜିଲ୍ଲା ବାସୁଦେବପୁର ରାଜଘରପୋଖରୀ ପଞ୍ଚାୟତରେ ଦେଖିବାକୁ ମିଳିଛି । ଗତ ପଞ୍ଚାୟତ ନିର୍ବାଚନରେ ଜଣେ ଯୁବ ସରପଞ୍ଚ ବିଜୟ ଲାଭ କଲା ପରେ ସରକାରୀ ପ୍ରକ୍ରିୟା ଅନୁଯାୟୀ ମାର୍ଚ୍ଚ ୧୧ ତାରିଖ ନାଏବ ସରପଞ୍ଚ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଆଶା ଥିଲା ସମସ୍ତ ୱାର୍ଡ ସଭ୍ୟ ଆସି ପ୍ରକ୍ରିୟାରେ ସାମିଲ ହେବେ ଏବଂ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ଆଗକୁ ନେବେ ।

କିନ୍ତୁ ୭ ଜଣ ୱାର୍ଡ ସଭ୍ୟଙ୍କ ଅନୁପସ୍ଥିତ ଥିବା କାରଣରୁ ନିର୍ବାଚନ ପ୍ରକ୍ରିୟା ହେଇପାରିଲା ନାହିଁ । ପରବର୍ତ୍ତୀ ସମୟରେ ୨ ଏପ୍ରିଲକୁ ଦ୍ୱିତୀୟ ଥର ବିଜ୍ଞପ୍ତି ପ୍ରକାଶ ପାଇଲା କିନ୍ତୁ ପୂର୍ବ ଥରର ଅନୁପସ୍ଥିତ ଥିବା ୭ ଜଣ ୱାର୍ଡ ସଭ୍ୟ ଅନୁପସ୍ଥିତ ରହିବା ସ୍ଥାନୀୟ ବାସିନ୍ଦାଙ୍କୁ ଚକିତ କରିଛି । ଲୋକେ ଆଶଙ୍କା କରୁଛନ୍ତି କୌଣସି ସରକାରୀ ଦଳର ଚାପ କିମ୍ବା ଅର୍ଥ ନେଇ ସରପଞ୍ଚଙ୍କୁ ପଞ୍ଚାୟତ ଉନ୍ନତି କାମରେ ସେମାନେ ସହଯୋଗ କରୁନାହାଁନ୍ତି । ସାଧାରଣ ଲୋକଙ୍କ କହିବା ମୂଳେ କେତେଜଣ ଭାଡୁଆ ନେତା କିଛି ଟଙ୍କା ଦେଇ ୱାର୍ଡ ସଭ୍ୟମନଙ୍କୁ ପ୍ରଲୋଭନ ଦେଖେଇ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖୁଛନ୍ତି । ଲୋକେ କହିଲେଣି ଯେ ଏମିତି ୱାର୍ଡ ସଭ୍ୟଙ୍କୁ ଭୋଟ ଦେଇ ଭୁଲ ହୋଉଛି ।
