ଭୁବନେଶ୍ବର : ରାଜ୍ୟସରକାର ଚାଷ ଓ ଚାଷୀର ବିକାଶ କଥା କହୁଛନ୍ତି । ଚାଷ ପାଇଁ ଜଳସେଚନର ଆବଶ୍ୟକତା ସବୁଠୁ ଅଧିକ । ସରକାର ଏଥିପାଇଁ ବୃହତ୍ ଠାରୁ ଆରମ୍ଭ କରି ମାଳମାଳ କ୍ଷୁଦ୍ର, ମଧ୍ୟମ ଜଳସେଚନ ପ୍ରକଳ୍ପ ଘୋଷଣା କରୁଛନ୍ତି । କିନ୍ତୁ ତାହାକୁ ଠିକ୍ଭାବେ କାର୍ଯ୍ୟକାରୀ କରାଯାଉନାହିଁ । ଫଳରେ ଜଳସେଚନ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଧାର୍ଯ୍ୟ ଅର୍ଥରାଶି ବିନିଯୋଗରେ ଶେଷ ହୋଇପାରୁନାହିଁ । ଏଥିପାଇଁ ଗୋଟିଏ ପଟେ ସରକାରଙ୍କ ବ୍ୟୟବରାଦ ବଢ଼ିବଢ଼ି ଯାଉଛି । ଅନ୍ୟପଟେ ବିଲମୁଣ୍ଡରେ ଚାଷୀ ପାଣି ପାଇପାରୁନାହିଁ । ରେଙ୍ଗାଲି କେନାଲଠାରୁ ଆରମ୍ଭ କରି ଇନ୍ଦ୍ରାବତୀ, ସୁବର୍ଣ୍ଣରେଖା, ମହାନଦୀ ଅବବାହିକା ଆଦିରେ ସରକାର ହାତକୁ ନେଇଥିବା ଏକାଧିକ ପ୍ରକଳ୍ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ କରିବା ଠାରୁ ଆରମ୍ଭ କରି ନିର୍ମାଣ ଶେଷ ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଅବହେଳା ହୋଇଛି । ଏସବୁ ତ୍ରୁଟିକୁ ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ଧରିବା ସହିତ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଓ ଦକ୍ଷତାକୁ ପଦାରେ ପକାଇ ଦେଇଛନ୍ତି ।
ଗୁରୁବାର ଦିନ ବିଧାନସଭାରେ ଉପସ୍ଥାପନ କରାଯାଇଥିବା ‘ଭୂପୃଷ୍ଠ ଜଳସେଚନର ସମ୍ପାଦନ ସମୀକ୍ଷା’ ଶୀର୍ଷକ ସିଏଜି ରିପୋର୍ଟରେ କର୍ତ୍ତପୃକ୍ଷଙ୍କ ଅବେହଳାଗୁଡ଼ିକ ବିଷୟରେ ବିସ୍ତୃତଭାବେ ଉଲ୍ଲେଖ କରାଯାଇଛି । ରିପୋର୍ଟରୁ ଜଣାପଡ଼ିଛି ଯେ ସେଚ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବାରେ ୧୩ ବର୍ଷରୁ ଆରମ୍ଭ କରି ୪୩ ବର୍ଷ ପର୍ଯ୍ୟନ୍ତ ବିଳମ୍ବ ହୋଇଛି । ଏଥିଯୋଗୁ ଅଯଥାରେ ପ୍ରକଳ୍ପ ମୂଲ୍ୟରେ ବଡ ଧରଣର ବୃଦ୍ଧି ଘଟିଛି । ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ମୂଲ୍ୟରେ ୧୮୨ ପ୍ରତିଶତରୁ ୪,୫୯୬ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି । ମୂଲ୍ୟରେ ଏଭଳି ବୃଦ୍ଧି ସତ୍ତ୍ବେ କେବଳ ଅପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ(ସମ୍ପ୍ରସାରଣ)ର କାର୍ଯ୍ୟ ଶେଷ ହୋଇପାରିଥିବା ସିଏଜି ରିପୋର୍ଟରେ କୁହାଯାଇଛି । ଅନ୍ୟ ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଅଟକି ରହିଛି । ତେଣୁ ସେସବୁ ପ୍ରକଳ୍ପ ମୂଲ୍ୟ ଆହୁରି ବଢ଼ିବା ଆଶଙ୍କା ରହିଛି ବୋଲି ସିଏଜି ଜଣାଇଛନ୍ତି ।

ଅଡିଟ୍ ବେଳେ ନମୁନା ଯାଞ୍ଚ ହୋଇଥିବା ପ୍ରକଳ୍ପରେ ୧୨,୭୪୨.୧୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପ୍ରସ୍ତାବିତ ୫,୦୨,୮୪୨ ହେକ୍ଟର ଜଳସେଚନ ସମ୍ଭାବନାରୁ ମାତ୍ର ୧,୨୨,୪୧୮ ହେକ୍ଟର ହାସଲ ହୋଇପାରିଛି । ଏହା ମୋଟ ଜଳସେଚନ ପାଇଁ ରଖାଯାଇଥିବା ଲକ୍ଷ୍ୟର ମାତ୍ର ୨୪ ପ୍ରତିଶତ । କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତାରେ ୧୩ ବର୍ଷ ଓ ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ ଓ ରେଙ୍ଗାଲି ବାମ ପାର୍ଶ୍ବ କେନାଲରେ ୪୩ ବର୍ଷ ବିଳମ୍ବ ହୋଇଛି । ଆବଶ୍ୟକତା ଅନୁସାରେ ଜମି ଅଧିଗ୍ରହଣ ହୋଇ ନପାରିବା, ଜଙ୍ଗଲ ଜମିର ବୈଧାନିକ ଅଗ୍ରିମ ଆଣିବାରେ ଅସାମର୍ଥ୍ୟ ଓ ଅନ୍ୟାନ୍ୟ କେତେକ କାରଣ ଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହୋଇଛି । ଠିକ୍ ଭାବେ କାର୍ଯ୍ୟ ପରିଚାଳନା ହୋଇନଥିବା ଯୋଗୁଁ ପ୍ରକଳ୍ପ ମୂଲ୍ୟ ଅହେତୁକ ବୃଦ୍ଧି ଘଟିଥିବା ଅଡିଟ୍ ରିପୋର୍ଟରେ ଉଲ୍ଲେଖ ରହିଛି ।
ଜଳସେଚନ ପ୍ରକଳ୍ପଗୁଡ଼ିକର ପ୍ରତିଟି ସ୍ତରରେ ମାତ୍ରାଧିକ ଅବହେଳା ଦେଖିବାକୁ ମିଳିଛି । ପ୍ରକଳ୍ପର ଅଦୂରଦର୍ଶୀ ପରିକଳ୍ପନା, ଜଳସେଚନ ଉପଯୋଗୀ କ୍ଷେତ୍ର ଓ ପାଣି ଉପଲବ୍ଧତାର ତ୍ରୁଟିପୂର୍ଣ୍ଣ ନିର୍ଧାରଣ, କାର୍ଯ୍ୟକାରିତାର ବିଶ୍ଳେଷଣରେ ଅଭାବ ଆଦି ଯୋଗୁଁ ପ୍ରକଳ୍ପ ଆରମ୍ଭ ହେବା ପରେ ତାହାର ବ୍ୟୟବରାଦ ବୃଦ୍ଧି ପାଉଥିଲା । ପ୍ରକଳ୍ପଗୁଡ଼ିକରେ ୨୦୧୪-୨୦ ମଧ୍ୟରେ ୮୪୨.୯୮ କୋଟି ଟଙ୍କା ଖର୍ଚ୍ଚ ହୋଇନପାରିବାରୁ ତାହାକୁ କର୍ତ୍ତୃପକ୍ଷ ଫେରାଇ ଦେଇଛନ୍ତି । ଜମି ହସ୍ତାନ୍ତର, ଅନିବାର୍ଯ୍ୟ ମଞ୍ଜୁରି ହାସଲ କରିବାରେ ବିଳମ୍ବ ଆଦି ଯୋଗୁଁ ପାଣ୍ଠି ଫେରସ୍ତ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି । କେବଳ ସେତିକି ନୁହେଁ, ଆର୍ଥିକ ପରିଚାଳନାରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଛି । କେନ୍ଦ୍ରୀୟ ସହାୟତା ନ ମିଳିବା, ଯେଉଁ ଉଦ୍ଦେଶ୍ୟରେ ପାଣ୍ଠି ଉଠାଣ ହୋଇଥିଲା ସେଥିରେ ତାହାକୁ ବିନିଯୋଗ କରା ନଯାଇ ବ୍ୟାଙ୍କରେ ରଖାଯାଇଥିବା ଆଦି କାରଣରୁ ମଧ୍ୟ ପ୍ରକଳ୍ପଗୁଡ଼ିକ ବିଳମ୍ବ ହୋଇଛି ।
ଜଳସେଚନ ପ୍ରକଳ୍ପଗୁଡ଼ିକ ଲାଗି ଜମି ଅଧିଗ୍ରହଣ ଠିକ୍ ଭାବେ ହୋଇପାରିନାହିଁ । ପ୍ରକଳ୍ପଗୁଡ଼ିକ ଲାଗି ୬୬,୨୧୯.୨୫ ଏକର ଜମି ଆବଶ୍ୟକ ଥିଲା । କିନ୍ତୁ ତାହାର ୪୮ ପ୍ରତିଶତ ଅର୍ଥାତ୍ ୩୧,୫୫୪.୫୭ ଏକର ଜମି ଅଧିଗ୍ରହଣ କରିବାରେ ଜମି ଅଧିଗ୍ରହଣ ଅଧିକାରୀମାନେ ସଫଳ ହୋଇଛନ୍ତି । ସେହିପରି ଆବଶ୍ୟକ ଥିବା ୮,୩୮୭.୦୫ ଏକର ଜମି ମଧ୍ୟରୁ ଅଧିକାରୀମାନେ ୭,୩୩୮.୬୦ ଏକର ଜମି ହସ୍ତାନ୍ତର କରିବାରେ ବିଫଳ ହୋଇଥିଲେ । ଜଳସେଚନ ପ୍ରକଳ୍ପ ଟେଣ୍ଡରରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ଦର୍ଶାଇଛନ୍ତି । ଅନିୟମିତତା, ଅଫଳପ୍ରଦ, ଅପଚୟ, ପରିହାର୍ଯ୍ୟ, ଠିକାଦାରମାନଙ୍କୁ ଅତିରିକ୍ତ ଖର୍ଚ୍ଚରାଶି ପ୍ରଦାନ ବାବଦରେ ସରକାରଙ୍କ ଉପରେ ୫୫୪.୮୭ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି । ଜଳ ଉତ୍ସର ଉପଲବ୍ଧତା ନିଶ୍ଚିତ ନକରି ବୃହତ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି । ବିଭାଗର ଅଧିକାରୀମାନଙ୍କ ମଧ୍ୟରେ ସମନ୍ବୟର ଘୋର ଅଭାବ ଯୋଗୁଁ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ଦ୍ବାରା ଜଳସେଚିତ ଅଞ୍ଚଳ ବୃହତ ପ୍ରକଳ୍ପଗୁଡ଼ିକର ଜଳସେଚିତ ଅଞ୍ଚଳରେ ମିଶିଯାଇଛି ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ।
ଉପକୂଳ ସୁରକ୍ଷା ବୃକ୍ଷ, କେନାଲ କୂଳ ବୃକ୍ଷରୋପଣ, ବନ୍ୟଜନ୍ତୁ ପରିଚାଳନା, କ୍ଷତିପୂରଣ ବୃକ୍ଷରୋପଣ ଆଦି ପାଇଁ ଜଙ୍ଗଲ ବିଭାଗ ନିକଟରେ ୨୮୨.୯୩ କୋଟି ଟଙ୍କା ଦାଖଲ କରାଯାଇଥିଲା । କିନ୍ତୁ ମାତ୍ର ୭୦.୯୩ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର (ୟୁସି) ଦାଖଲ ହୋଇଥିଲା। ଦୁଇଟି ପ୍ରକଳ୍ପରେ ଜଙ୍ଗଲ ଜମିର ବ୍ୟବହାର ଅନୁମତି ନମିଳିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିଲା । ତେଣୁ ଚାଷୀମାନେ ଜଳସେଚନରୁ ବଞ୍ଚିତ ହୋଇଥିଲେ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଡିପିଆର୍ରେ ପ୍ରସ୍ତାବିତ ଆକଳନକୁ କାର୍ଯ୍ୟକାରୀ କରାଯାଇନଥିଲା । ତେଣୁ ଜଳସେଚିତ ଜମିରେ କେବଳ ଧାନ ହିଁ ଚାଷ ହେଉଥିଲା ।
ଢେଙ୍କାନାଳରେ ୧୯ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ୨୦୦୪ ରୁ ୨୦୧୨ ମଧ୍ୟରେ ୨୬.୩୫ କୋଟି ଟଙ୍କା ଦିଆଯାଇଥିଲା । ସେଥିରୁ ୧୫.୬୭ କୋଟି ଟଙ୍କା ବ୍ୟୟରେ ୧୭ଟି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ବାକି ଦୁଇଟି ପ୍ରକଳ୍ପର କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିଲା । ୧୭ଟି ସମ୍ପୂର୍ଣ୍ଣ ପ୍ରକଳ୍ପରୁ ୫ଟି ପ୍ରକଳ୍ପ କାର୍ଯ୍ୟ କରୁଥିଲା ଓ ୧୨ଟି ପ୍ରକଳ୍ପରେ ବାରମ୍ବାର ଯନ୍ତ୍ରପାତି ଚୋରି ଯୋଗୁଁ ସେଗୁଡ଼ିକ ଠିକ୍ ଭାବେ କାର୍ଯ୍ୟ କରୁନଥିଲା । ପ୍ରକଳ୍ପ ପର୍ଯ୍ୟବେକ୍ଷଣର ଅଭାବ ଯୋଗୁଁ ୨,୨୦୦ ହେକ୍ଟର ଜମିରେ ଜଳସେଚନ ହୋଇପାରି ନଥିଲା । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତାରେ ହୋଇଥିବା ବିଳମ୍ବ ପାଇଁ କୌଣସି ଦଣ୍ଡବିଧାନର ବ୍ୟବସ୍ଥା କରାଯାଇ ନଥିଲା ବୋଲି ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୪ ଏପ୍ରିଲ୍ରୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତର ତଥ୍ୟକୁ ନେଇ ଏହି ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏହି ସମୀକ୍ଷା ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଗୋଟିଏ ସମ୍ପୂର୍ଣ୍ଣ, ଚାରିଟି ଅସମ୍ପୂର୍ଣ୍ଣ ବୃହତ୍, ୯ଟି ସମ୍ପୂର୍ଣ୍ଣ ବୃହତ୍ ଉଠାଜଳସେଚନ ଓ ୧୦ଟି ସମ୍ପୂର୍ଣ୍ଣ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ନମୁନା ଭାବେ ସିଏଜି ନେଇଛନ୍ତି ।
