ଵଣାଇ : ଅପ୍ରେଲ ୧ ତାରିଖ ଆଜିର ଦିନରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ମୃତିକୁ ଉଜ୍ଜୀବିତ ରଖିବା ପରିପ୍ରେକ୍ଷୀରେ ସାରା ଓଡ଼ିଶାରେ ଆଜି ଉତ୍ସାହର ସହିତ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ, ଵଣାଇରେ ମଧ୍ୟ ସରକାରୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଧୂମଧାମରେ ଉତ୍କଳ ଦିବସ ପାଳନ ହୋଇଯାଇଛି । ବଣାଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରାତଃ ସମୟରୁ ଡ଼ାକବାଜି ଯନ୍ତ୍ର ଦ୍ବାରା ସାରା ସହର ପରିକ୍ରମା କରି ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା । ବଣାଇ ଆଞ୍ଚଳିକ ଯୁବ ସଂସଦ ପକ୍ଷରୁ ସମସ୍ତ ସଦସ୍ୟଙ୍କୁ ନେଇ ବାବା ବାଣେଶ୍ୱର ମନ୍ଦିର ସମ୍ମୁଖରୁ ବଣାଇ ରାଜା ବୀର କେଶରୀଙ୍କ ଉପସ୍ଥିତିରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଦେଓଗାଁ ଛକରେ ଥିବା ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

ଅନୁରୂପ ଭାବେ ବଣାଇ ଓକିଲ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ପ୍ରାଙ୍ଗଣରେ ଥିବା ଓଡ଼ିଶାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଉତ୍କଳ ଦିବସରେ ବରପୁତ୍ରଙ୍କ ନିକଟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ତା’ ସହିତ ଉତ୍କଳ ଦିବସ ପାଳନ ପରିପ୍ରେକ୍ଷୀରେ ଵଣାଇ ଯୁବ ସଂସଦ ପକ୍ଷରୁ ସଂନ୍ଧ୍ୟାରେ ରାଜା ଧରଣୀଧର ବହୁମୂଖୀ ଖେଳପଡିଆରେ ଓଡ଼ିଶାର ବିଭିନ୍ନ ନାମୀଦାମୀ କଳାକାରଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂସଦର ସଭାପତି ରଞ୍ଜିତ ଚୌଧୁରୀ ପ୍ରକାଶ କରିବା ସହିତ, କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବଣାଇର ଜନସାଧାରଣ ଯୋଗଦେବାକୁ ଅନୁରୋଧ କରିଛନ୍ତି ।
