ପାତ୍ରପୁର : ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତି ମଧ୍ୟରେ ୮୬ ବର୍ଷ ବିତି ଯାଇଥିବା ବେଳେ ସୀମାନ୍ତ ସ୍ଥିତି ଅପରିବର୍ତିତ ରହିଛି । ପ୍ରଦେଶ ଗଠନର ସେହି ଦିନକୁ ମନେ ପକେଇବାକୁ ଆଜି ଉତ୍କଳ ଦିବସ ପାଳନ କରାଯାଉଛି । ତେବେ ପ୍ରଦେଶ ଗଠିତ ହେବା ବେଳେ ଯେଉଁସବୁ ସୁବିଧା ହେବା ନେଇ ଲକ୍ଷ ରହିଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇ ପାରିନାହିଁ । ପ୍ରଦେଶ ଗଠନ ହେବା ପୂର୍ବରୁ ଓଡିଶା ସୀମାନ୍ତ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକଟି ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ରହିଥିଲା । ଅଂଚଳର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଆନ୍ଧ୍ର ଇଚ୍ଛାପୁର ଉପରେ ନିର୍ଭର କରୁଥିଲେ । ପ୍ରଦେଶ ଗଠନ ପାଇଁ ଆନ୍ଦୋଳନ ଆରମ୍ଭ ହେବା ପରେ ଓଡ଼ିଶାର ବରପୁତ୍ରମାନେ ଗଙ୍ଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ ପୂର୍ବରୁ ଥିବା ଓଡ଼ିଆ ଭାଷାଭାଷୀ ଅଂଚଳର ଲୋକଙ୍କୁ ଏକତ୍ରିତ କରିବା ଉଦ୍ୟମ ଆରମ୍ଭ କରିଥିଲେ ।
ଆନ୍ଧ୍ର ସୀମାନ୍ତରେ ଏହାର ନେତୃତ୍ୱ ନେଉଥିବା ଅଭିଭକ୍ତ ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡିର ତତ୍କାଳୀନ ଗଜପତି ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ସୀମାନ୍ତରେ ଥିବା ଓଡ଼ିଆମାନଙ୍କୁ ଏକତ୍ରିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଏହି କାର୍ଯ୍ୟରେ ପଣ୍ଡିତ ଗୋପବନ୍ଧୁ ଦାସ ଯୋଗ ଦେବାକୁ ଆସି ପାତ୍ରପୁର ସମେତ ବିଭିନ୍ନ ଅଂଚଳରେ ସଭା ସମିତି କରି ଲୋକଙ୍କୁ ଏକଜୁଟ କରିଥିଲେ । ଅଞ୍ଚଳର ତ୍ୟାଗୀ ଦିବାକର ପଟ୍ଟନାୟକ ଗାନ୍ଧୀ କୃଷ୍ଟମୂର୍ତୀ ସମେତ ବହୁ ବ୍ୟକ୍ତି ସହଯୋଗ କରିଥିଲେ । ସ୍ୱତନ୍ତ୍ର ପ୍ରଦେଶ ଗଠନ ପରେ ଜମିର ସର୍ଭେ ବନ୍ଦୋବସ୍ତ ମାଡ୍ରାସ ପ୍ରେସିଡେନ୍ସି ତରଫରୁ ୧୯୫୧ ସାଲ ବେଳକୁ ହୋଇଥିଲା । ଏହାର ପଚାଶ ବର୍ଷ ପରେ ପୁଣି ଓଡିଶା ସରକାରଙ୍କ ତରଫରୁ ୨୦୦୦ ସାଲରେ ପୁଣି ସର୍ଭେ ହୋଇ ଜମିଜମା ରେକର୍ଡ ନିର୍ଦ୍ଧାରିତ ହୋଇଥିଲା । ତେବେ ଏବେ ମଧ୍ୟ ପାତ୍ରପୁର ବ୍ଳକର କେତେକ ସୀମାନ୍ତ ଗ୍ରାମରେ ଆନ୍ଧ୍ର ସରକାରଙ୍କ ତରଫରୁ ବିଭିନ୍ନ ସୁବିଧା ଯୋଗାଇବା ସହ ନିଜ ନିଜ ଅକ୍ତିଆରକୁ ନେବା ଉଦ୍ୟମ ବନ୍ଦ ହୋଇନାହିଁ । କୁଲାଡି, ସାତପୁରୀ, ଗୁଡିଖଳା ପ୍ରଭୁତି ଗ୍ରାମର ଲୋକମାନେ ଭୋଟ ଦାନ ଠାରୁ ଆରମ୍ଭ କରି ରାସନ, ବିଜୁଳି, ଜମି ପଟ୍ଟା, ଅଙ୍ଗନବାଡି କାର୍ଯ୍ୟକ୍ରମ ସହିତ ପ୍ରାଥମିକ ଶିକ୍ଷା ପାଇଁ ଉଭୟ ରାଜ୍ୟ ଉପରେ ନିର୍ଭର କରୁଛନ୍ତି ।
ଏହି ଗ୍ରାମ ସହିତ ବ୍ରାହ୍ମଣ ନୂଆଗାଁ ଗୁଡିପଦର ପଂଚାୟତର ଚାରିଗୋଟି ଗ୍ରାମରେ ଲୋକମାନେ ଦୁଇ ରାଜ୍ୟର ପଡିକାର୍ଡ ଆଧାର ଭୋଟ ପରିଚୟ ପତ୍ର ଥିବା ବେଳେ ଉଭୟ ରାଜ୍ୟରୁ ସୁବିଧା ପାଉଛନ୍ତି । ଓଡ଼ିଶାର ମନ୍ତ୍ରୀ, ନିର୍ବାଚିତ ପ୍ରତିନିଧି ଅଧିକାରୀ ବିଭିନ୍ନ ସମୟରେ ସୀମାନ୍ତରେ ଥିବା ଏହି ଅଂଚଳ ଗସ୍ତ କରିବା ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଛନ୍ତି । ପାତ୍ରପୁର ବ୍ଲକ ଆନ୍ଧ୍ର ସୀମାନ୍ତ ବିଦ୍ୟାଳୟମାନଙ୍କରେ ତେଲୁଗୁ ବହି ଶିକ୍ଷକ ଦ୍ୱ।ହି ଦେଇ ପିଲାମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାଇବା ଯୋଗୁଁ ବହୁ ବିଦ୍ୟାଳୟ ଏବେ ତାଲା ଝୁଲୁଛି । ରାତି ପହିଲେ ବ୍ଲକର କେନ୍ଦ୍ର ସ୍ଥଳ ପାତ୍ରପୁର ଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାମର ପିଲା ଆନ୍ଧ୍ରକୁ ପାଠ ପଢିବାକୁ ଯାଉଛନ୍ତି । ସୀମାନ୍ତ ଗୁଡିପଦର ପଞ୍ଚାୟତରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ଉଚ୍ଚ ବିଦ୍ୟାଳୟ ପଚାଶ ଲକ୍ଷ ଟଙ୍କା ବ୍ୟୟରେ ନୂତନ କୋଠା ସହ ଆନୁଷଙ୍ଗିକ ସୁବିଧା କରାଯାଇଥିଲା । ତେବେ ଏହି ଗ୍ରାମ ପାର୍ଶ୍ୱ ଖଜୁରିଆ ଠାରେ ଆନ୍ଧ୍ର ଏକ ବିଦ୍ୟାଳୟ ପ୍ରତିଷ୍ଠା କରିବା ପରେ ସମସ୍ତେ ପିଲା ସେହି ବିଦ୍ୟାଳୟକୁ ପଢିବାକୁ ଚାଲିଯିବା ଯୋଗୁଁ ପଂଚାୟତ କେନ୍ଦ୍ର ସ୍ଥଳର ବିଦ୍ୟାଳୟଟି ପାଞ୍ଚବର୍ଷ ହେଲା ତାଲା ଝୁଲୁଛି ।
ସୀମାନ୍ତର ସାତ ଗୋଟି ପଂଚାୟତରେ ପନ୍ଦରରୁ ଉର୍ଦ୍ଧ୍ବ ଗ୍ରାମର ପିଲାମାନେ ଆନ୍ଧ୍ରକୁ ପାଠ ପଢିବା ପାଇଁ ଚାଲିଯିବା ଯୋଗୁଁ ବିଦ୍ୟାଳୟ ବନ୍ଦ ହୋଇଛି । ଫଳରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକମାନେ କେବଳ ଓଡ଼ିଆ ଦସ୍ତଖତରେ ସୀମିତ ରହୁଛନ୍ତି । ଆନ୍ଧ୍ର ଯାଉଥିବା ପିଲାଙ୍କୁ ଓଡ଼ିଆ ଶିକ୍ଷା ଦିଆ ଯାଉନାହିଁ । ଫଳରେ ଓଡ଼ିଶାର ପିଲାମାନେ ଓଡ଼ିଆ ଭାଷାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଉଛନ୍ତି । ଓଡ଼ିଶାର ବିନୁଆଗାଁ ପଂଚାୟତ ସବର ଦୀ ପେଟା ଏବଂ ଗୁଡିପଦର ପଂଚାୟତର ଏସ ବଳରାମପୁର ଗ୍ରାମର ଲୋକମାନେ ପୁର୍ବ ଭଳି ଆନ୍ଧ୍ରର ପୋଷ୍ଟ ଅଫିସରୁ ଡାକ ସୁବିଧା ପାଉଛନ୍ତି । ସବର ଦେଇ ପେଟା ଗ୍ରାମଟି ବି ନୂଆଗାଁ ପଂଚାୟତରେ ରହିଛି । ଗ୍ରାମରେ ୩୫୦ ପରିବାର ବସବାସ କରୁଛନ୍ତି । ପଞ୍ଚାୟତରେ ପୋଷ୍ଟ ଅଫିସ ଥିବା ବେଳେ ଲୋକମାନେ ଆନ୍ଧ୍ର ଲୋଧାପୁଟିରୁ ଡାକ ସେବା ପାଉଛନ୍ତି ।
ସେହିଭଳି ଗୁଡିପଦର ପଞ୍ଚାୟତ ବଳରାମପୁର, ଏସ ବଳରାମପୁର ଗ୍ରାମର ଲୋକମାନେ ଆନ୍ଧ୍ର ଧରମପୁରରୁ ଡାକ ପାଉଛନ୍ତି । ଏହି ପଂଚାୟତରେ ମଧ ଏକ ଡାକ ଘର ରହିଛି । ଏହି ତିନୋଟି ଗ୍ରାମର ବହୁ ଲୋକ ବିଦେଶ ଏବଂ ରାଜ୍ୟ ବାହାରେ ରହୁଥିବା ବେଳେ ଡାକ ଓ ଟେଲିଗ୍ରାମ ଭଳି ଜରୁରୀ ଖବର ମିଳିବାରେ ବିଳମ୍ବ ହେଉଛି । ତେବେ ପୂର୍ବରୁ ଓଡ଼ିଶା ଡାକଘରୁ ଡାକ ସୁବିଧା ପାଉଥିବା ଆନ୍ଧ୍ରର ଶାସନ ପ୍ରଭୁତି କେତେକ ଗ୍ରାମର ଲୋକଙ୍କ ପୋଷ୍ଟ ଅଫିସ ବଦଳି ଏବେ ସେହି ରାଜ୍ୟ ସରକାରଙ୍କ ଉଦ୍ୟମ ପରେ ଆନ୍ଧ୍ର ହୋଇଛି । ଆନ୍ଧ୍ରରେ ଓଡ଼ିଶାର ସୀମାନ୍ତ ଗ୍ରାମର ଲୋକମାନେ ଦୁଇଟି ରାଜ୍ୟରୁ ସୁବିଧା ମିଳିବା ଆଶାରେ ନିଜର ନାମ ଆଧାର ଭୋଟ ପରିଚୟ ପତ୍ରରେ ଲେଖିବ।କୁ ଆଗ୍ରହ ପ୍ରକାଶ କରୁଛନ୍ତି । ସୀମାନ୍ତରେ ଓଡ଼ିଶା ଦେଇ ରେଳପଥ ଅତିକ୍ରମ କରିଥିବା ବେଳେ ଷ୍ଟେସନଟିଏ ନାହିଁ । ତେଣୁ ଲୋକମାନେ ଦୂର ଦୁରାନ୍ତ ଆନ୍ଧ୍ରର ବିଭିନ୍ନ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଛି । ଓଡ଼ିଶ। ଲୋକଙ୍କ ପାଇଁ ଗୁଡିପଦର ଠାରେ ଏକ ରେଳ ଷ୍ଟେସନ ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷ ହେଲା ସରକାରଙ୍କ ଠାରେ ଲୋକମାନେ ଦାବୀ କରି ଆସୁଛନ୍ତି । ତେବେ ଓଡ଼ିଶାର ଲୋକଙ୍କ ଦାବୀ ପ୍ରତି ନଜର ପଡୁନାହିଁ । ପାତ୍ରପୁର ବ୍ଳକରେ ପ୍ରଥମ ଥରପାଇଁ ସୀମାନ୍ତ ଗୁଡିପଦରର ଜଣେ ତେଲୁଗୁ ମହିଳା ବ୍ଳକ ଅଧ୍ୟକ୍ଷା ପଦବୀରେ ରହିଛନ୍ତି । ସୀମାନ୍ତ ତେଲୁଗୁ ଅଂଚଳ ସହିତ କେତେକ ଆଦିବାସୀ ଗ୍ରାମରୁ ରାତି ପହିଲେ ସହସ୍ରାଧିକ ପିଲା ଅ।ନ୍ଧ୍ରକୁ ଦାଦନ ଖଟିବା ଠାରୁ ଆରମ୍ଭକରି ପାଠପଢା ଚିକିତ୍ସା ସହିତ ବିଭିନ୍ନ କାର୍ଯ୍ୟସମ୍ପାଦନ ପାଇଁ ଯାଉଛନ୍ତି ।