ଜମି ଦେବା ଆଳରେ ୧୦ ଲକ୍ଷରୁ ଅଧିକ ଟଙ୍କା ଠକେଇ

ସମ୍ବଲପୁର : ସମ୍ବଲପୁରରେ ଜମି ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏଭଳି ଏକ ଘଟଣାରେ ଅଇଁଠାପାଲି ନିବାସୀ ଜଣେ ବ୍ୟକ୍ତି ୧୦ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଅଇଁଠାପାଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଅଇଁଠାପାଲି ନିବାସୀ ସନ୍ତୋଷ ହୋତା ଗୁଣ୍ଡେରପୁର ଅଞ୍ଚଳରେ ଏକ ଜମି କିଣିବା ପାଇଁ ୨୦୧୯ ମସିହାରେ ବୁଢ଼ାରଜା ନିବାସୀ ପ୍ରଦୀପ ଭୂମିଜ ନାମକ ଜଣେ ମଧ୍ୟସ୍ଥିଙ୍କ ସହିତ କଥାବାର୍ତ୍ତା ହୋଇଥିଲେ । ଜମିର ମାଲିକଙ୍କ ସହିତ ମଧ୍ୟସ୍ଥିଙ୍କ ଜରିଆରେ କଥାବାର୍ତ୍ତା ହେବା ପରେ ୧ ଲକ୍ଷ ଟଙ୍କା ଅଗ୍ରିମ ରାଶି ପ୍ରଦାନ କରିଥିଲେ । ଏହା ପରେ ପରବର୍ତ୍ତୀ ସମୟରେ ୯ ଲକ୍ଷ ୨୪ ହଜାର ଟଙ୍କା ପ୍ରଦାନ କରି ଜମିକୁ ହୋତା କିଣିଥିଲେ । ଏଥିପାଇଁ ସେ ଚେକ୍ ମାଧ୍ୟମରେ ମଧ୍ୟସ୍ଥି ପ୍ରଦୀପ ଭୂମିଜଙ୍କୁ ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ଅଭିଯୁକ୍ତ ଭୂମିଜ ଟଙ୍କା ବ୍ୟାଙ୍କରୁ ଉଠାଇ ଜମି ମାଲିକଙ୍କୁ ପ୍ରଦାନ କରିନଥିଲେ । ଅପର ପକ୍ଷରେ ଜମି ବିକ୍ରି କରିଥିବା ମାଲିକ ଗତ ବର୍ଷ ଅଚାନକ ଆସି ଶ୍ରୀ ହୋତାଙ୍କୁ ସେ ଜମି ବାବଦରେ ଟଙ୍କା ପାଇନଥିବା ଜଣାଇଥିଲେ । ପଚରାଉଚୁରା ସମୟରେ ଜମି ବିକ୍ରେତା ଟଙ୍କା ପାଇନଥିବାର ଜାଣି ପୁର୍ନବାର ହୋତା ୯ ଲକ୍ଷ ୨୪ ହଜାର ଟଙ୍କା ପଇଠ କରିଥିଲେ । ଏହାପରେ ମଧ୍ୟସ୍ଥି ଭୂମିଜଙ୍କୁ ଟଙ୍କା ଫେରସ୍ତ କରିବା ପାଇଁ କହିବାରୁ ସେ ବାରମ୍ବାର ସମୟ ଗଡାଇ ଚାଲିଥିବା ବେଳେ ଗତକାଲି ଅଇଁଠାପାଲି ସ୍ଥିତ ତଳି ଛକରେ ହୋତାଙ୍କୁ ଗାଳିଗୁଲଜ କରିବା ସହିତ ଏଟ୍ରୋସିଟି ମାମଲାରେ ଫଶାଇ ଦେବାକୁ ଧମକଚମକ ଦେଇ ଏକ କାର ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିଲେ । ଏଣୁ ପିଡୀତ ବ୍ୟକ୍ତି ଅଇଁଠାପାଲି ଥାନାରେ ଅଭିଯୋଗ କରିବାରୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରଦୀପ ଭୂମିଜଙ୍କୁ ଗିରଫ କରି ଗୁରୁବାର ଅଦାଲତକୁ ଚାଲାଣ କରିଛ ବୋଲି ପୁଲିସ କହିଛି ।

Leave a Reply

Your email address will not be published. Required fields are marked *