ଦଶରଥପୁର : ଯାଜପୁର ଜିଲ୍ଲାରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । କିଛିଦିନ ତଳେ ଜିଲ୍ଲା ଅନ୍ତର୍ଗତ ବିଂଝାରପୁର ମନେଇ ବାଲିଘାଟରେ ବୋମାମାଡ଼ ସହିତ ଲିଜ୍ଧାରୀଙ୍କୁ ହତ୍ୟା କରାଯାଇଥିଲା । ବୁଧବାର ଦିନ ଦଶରଥପୁର ତହସିଲଦାର ଅବିନାଶ ବିଶ୍ୱଜିତ ସେଠୀଙ୍କୁ ଟ୍ରାକ୍ଟର ଚପାଇବାକୁ ଉଦ୍ୟମ କରିଛନ୍ତି ମାଫିଆଗୋଷ୍ଠୀ ।
ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବାଲି ମାଫିଆଙ୍କ ବିରୋଧରେ ସେ ମଙ୍ଗଳପୁର ଥାନାରେ ଏତଲା ଦେଇଛନ୍ତି । ଟ୍ରାକ୍ଟରଟିକୁ ଜବତ କରାଯାଇଥିଲେ ହେଁ ଏହି ଘଟଣାଟିକୁ ଚପାଇଦେବାକୁ ରାଜନୈତିକ ମହଲରେ ଚାପ ପଡୁଥିବା ସୂଚନା ମିଳିଛି ।
ଗତକାଲି ମଧ୍ୟାହ୍ନରେ ବୈତରଣୀ ନଦୀ କଷପା ପଞ୍ଚାୟତ ପଲାସାହିଠାରେ ଏକ ଚୋରାଘାଟରୁ ମାଫିଆମାନେ ବାଲି ଉଠାଉଥିଲେ । ଖବରପାଇ ତହସିଲଦାର ଅବିନାଶ ସେଠୀ ସେଠାରେ ପହଞ୍ଚିବାରୁ କେତୋଟି ଟ୍ରାକ୍ଟର ଖସିଯାଇଥିଲେ । ଗୋଟିଏ ଟ୍ରାକ୍ଟର ଧରାପଡ଼ି ଯାଇଥିଲା । ସେହି ଗାଡ଼ିଟି ମଲ୍ଲିକାପୁର ଗ୍ରାମର ରାଜେଶ ସେଠୀଙ୍କର। ଗାଡ଼ିଟିକୁ ନଦୀ ଉପରକୁ ଉଠାଇବାକୁ ତହସିଲଦାର ନିର୍ଦେଶ ଦେଇଥିଲେ । ଚାଳକ ନଦୀ ଉପରକୁ ଗାଡ଼ି ନେଇ ହଠାତ୍ ତହସିଲଦାର ଓ ତାଙ୍କ ଡ୍ରାଇଭରଙ୍କ ଉପରେ ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲା । ଛାନିଆଁ ହୋଇ ଦୁହେଁ ଗୋଟିଏ ପାର୍ଶ୍ବରେ ତଳେ ପଡ଼ିଯିବାରୁ ବର୍ତ୍ତିଯାଇଥିଲେ । ଏହି ସୁଯୋଗରେ ଟ୍ରାକ୍ଟର ନେଇ ଚାଳକ ସେଠାରୁ ପଳାଇ ଯାଇଥିଲା ।
ଟ୍ରାକ୍ଟର ଫଟୋ ପୂର୍ବରୁ ତହସିଲଦାର ଉଠାଇ ରଖିଥିବାରୁ ଥାନାକୁ ଜଣାଇଥିଲେ । ତଥାପି ମାଫିଆମାନେ ତୁରନ୍ତ ଟ୍ରାକ୍ଟରଟିକୁ ଅଲଗା ରଙ୍ଗ ମାରି ଲୁଚାଇବାକୁ ଉଦ୍ୟମ କରିଥିଲେ । ମଂଗଳପୁର ପୁଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଟ୍ରାକ୍ଟର ଡ୍ରାଇଭର ଓ ମାଲିକ ସେଠାରୁ ଖସିଯାଇଥିଲେ । ଗାଡ଼ିର ନମ୍ବର ପ୍ଲେଟରେ ରଙ୍ଗ ମାରି ଦେଇଥିବାରୁ ନମ୍ବର ଜଣାପଡ଼ିନାହିଁ । ତେବେ ଏହାର କୌଣସି କାଗଜପତ୍ର ନଥିବା ସୂଚନା ମିଳିଛି ।
ଦଶରଥପୁର ତହସିଲ ଅଧୀନରେ ମାଫିଆଙ୍କ ଉତ୍ପାତ ନୂଆ ନୁହେଁ । ଏଠାରେ ପୂର୍ବରୁ ମଧ୍ୟ ବହୁ ଚୋରା ବାଲିଘାଟ ଚାଲୁଥିଲା । ତତ୍କାଳୀନ ତହସିଲଦାର ଶ୍ବେତ ଦାସ ୪ ବର୍ଷ ତଳେ ରାମବାଗ ଠାରେ ଏକ ଡମ୍ପରକୁ ଜବତ କରିବାବେଳେ ତାଙ୍କୁ ବନ୍ଧୁକ ଦେଖାଇ ମାରିବାକୁ ଉଦ୍ୟମ ହୋଇଥିଲା । ଡମ୍ପର ନେଇ ମାଫିଆ ଖସିଯାଇଥିଲେ । ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା । ଯାଜପୁରର ପଡ଼ୋଶୀ ଜିଲ୍ଲା କେନ୍ଦୁଝରର ଆନନ୍ଦପୁରରେ ମଧ୍ୟ ବାଲିମାଫିଆଙ୍କ ଦାଦାଗିରିର ଦୃଷ୍ଟାନ୍ତ ରହିଛି । ଆନନ୍ଦପୁର ତହସିଲ ଫାପୁଡ଼ିଆ ଘାଟରେ ଗତ ଡିସେମ୍ବରରେ ବାଲି ମାଫିଆଙ୍କ ଆକ୍ରମଣରେ ଦୁଇଜଣ ଆର୍ଆଇ ଆହତ ହୋଇଥିଲେ ।
