ରାଜ୍ୟରେ ୧୨୩ଟି ଶୀତଳ ଭଣ୍ଡାରରୁ ୭୯ଟି ଅଚଳ

ଭୁବନେଶ୍ଵର : ରାଜ୍ୟରେ ମୋଟ ୧୨୩ଟି ଶୀତଳ ଭଣ୍ଡାର ଥିବାବେଳେ ସେଥି ମଧ୍ୟରୁ ୭୯ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର ୪ ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା ୪ ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ ୧୮ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ । ଏହା ସହ ଆହୁରି କହିଛନ୍ତି ଯେ, ଯେହେତୁ ଶୀତଳ ଭଣ୍ଡାରଗୁଡିକୁ ଶିଳ୍ପ ଭାବେ ଗଣାଯାଉଛି ତା’ର ବିଦ୍ୟୁତ ଦର ୟୁନିଟ ପିଛା ୪ ଟଙ୍କା ୩୦ ପଇସା ରହିଛି ।

ତେଣୁ ଶୀତଳ ଭଣ୍ଡାରଗୁଡିକୁ କୃଷି ଭିତ୍ତିକ ଶିଳ୍ପରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଓଇଆରସିକୁ ପ୍ରସ୍ତାଵ ଦେଇଛନ୍ତି । ଏହା ଦ୍ଵାରା ବିଦ୍ୟୁତ ଜନିତ ଖର୍ଚ୍ଚ କମିବ । ବର୍ତ୍ତମାନ ରାଜ୍ୟ ସରକାର ପ୍ରତିବର୍ଷ ଶୀତଳ ଭଣ୍ଡାରରେ ଖର୍ଚ୍ଚ ହେଉଥିବା ବିଦ୍ୟୁତ ଦେୟ ଉପରେ ୫୦ ପ୍ରତିଶତ ରିହାତି ଦେଉଛନ୍ତି । ଏହା ସହ ଛତୁ ଓ ଲେମ୍ବୁ ଉତ୍ପାଦନରେ ଓଡ଼ିଶା ୧ ନମ୍ବର ରାଜ୍ୟ ହୋଇଛି ଓ ବାଇଗଣରେ ଦୁଇ ନମ୍ବରରେ ରହିଛି ।

ସେହିପରି ଚାଉଳ ଉତ୍ପାଦନରେ ବଳକା ରାଜ୍ୟ ଓଡ଼ିଶା ଚର୍ତୁଥ ସ୍ଥାନରେ ରହିଛି । ବିଦେଶକୁ ୭୦୦ ମେଟ୍ରିକ ଟନ ଚାଉଳ ପଠାଯାଉଥିବା ବେଳେ ଆଗକୁ ୧ ହଜାର ମେଟ୍ରିକ ଟନ ଚାଉଳ ପଠାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବିଧାନସଭା ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଅରୁଣ ସାହୁ ଉତ୍ତର ରଖିଛନ୍ତି ।

Leave a Reply

Your email address will not be published. Required fields are marked *