ବଣାଇ : ବଣାଇ ବନ ବିଭାଗ ପକ୍ଷରୁ ଗତକାଲି ବଣାଇ ରେଞ୍ଜର ଧରଣୀଧର ପାଲି ଠାରେ ଥିବା ସ୍ଥାୟୀ ନର୍ସରୀ ଠାରେ ବାଉଁଶ ସମ୍ବନ୍ଧୀୟ ଏକ ଦିବସିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ବାଉଁଶ ମିଶନ ତରଫରୁ ଆୟୋଜିତ କର୍ମଶାଳାରେ ତମଡା ରେଞ୍ଜ ଅଧିକାରୀ ଅକ୍ଷୟ ଛାତ୍ରୀଆଙ୍କ ସମେତ ବନଖଣ୍ଡର ସାତୋଟି ରେଞ୍ଜରେ ଥିବା ବାଉଁଶ ଚାଷୀମାନଙ୍କୁ ନେଇ ବାଉଁଶ ଚାଷର ପ୍ରଣାଳୀ ଓ ବାଉଁଶ ଦ୍ୱାରା ଚାଷୀମାନେ କିପରି ଭାବେ ଲାଭବାନ ହୋଇପାରିବେ, ତା’ ସହିତ ନିଜ ନିଜର ଅବ୍ୟବହୃତ ଜମିରେ ବାଉଁଶ ପ୍ରତିରୋପଣ କରି ବାଉଁଶର ବ୍ୟବହାର ସମ୍ପର୍କରେ ସମସ୍ତ ଚାଷୀମାନଙ୍କୁ ଅବଗତ କରାଇବା ସହିତ ପ୍ରଶିକ୍ଷଣ ଦିଆଯାଇଥିଲା । ଅତିଥି ପ୍ରଶିକ୍ଷଣ ଭାବେ ଅବସର ପ୍ରାପ୍ତ ଡେପୁଟି ରେଞ୍ଜର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ସହିତ ବଣାଇର ଅବସର ପ୍ରାପ୍ତ ବନପାଳ ଉତ୍ପଳ ମଣି ପାତ୍ର ଯୋଗଦେଇଥିଲେ । ଅନୁଷ୍ଠିତ କର୍ମଶାଳାକୁ ବଣାଇ ରେଞ୍ଜ ଅଧିକାରୀ ମନୋଜ ପାତ୍ର ସଂଯୋଜନା କରିଥିବା ବେଳେ, ଧରଣୀଧର ପାଲିର ବନପାଳ କ୍ଷୀରେଶ୍ଵର ବେହେରାଙ୍କ ସମେତ ବନରକ୍ଷୀ ଜଗନ୍ନାଥ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
