‘ବହି ପଢ଼’ ଅଭିଯାନ ସୁନ୍ଦରଗଡ ଜିଲ୍ଲା ପ୍ରଶାସନର ଏକ ନିଆରା ପ୍ରୟାସ

ବଣାଇ : ସୁନ୍ଦରଗଡ ଜିଲ୍ଲାରେ ଛାତ୍ରଛାତ୍ରୀ, ଯୁବପୀଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ସୁନ୍ଦରଗଡ ବହିପଢ଼ ଅଭିଯାନ ଚାଲିଛି । ଏହା ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।

କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ରବିବାର ଦିନ ବଣାଇ ପାଠାଗାର ଠାରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଉପରେ ଏକ କର୍ମଶାଳା ଏବଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ବଣାଇର ବିଶିଷ୍ଟ କଳା ପ୍ରଶିକ୍ଷକ ଋକ୍ମଣୀ ବଲ୍ଲଭ ପ୍ରଧାନ ଯୋଗଦେଇ ଚିତ୍ରାଙ୍କନର ବିଭିନ୍ନ ଶୈଳୀ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ ।

ଏହି ଅବସରରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ ଏଥିରେ ଯୋଗଦେଇ ପ୍ରତିଯୋଗିତାରେ ଭାଗନେଇଥିବା ପିଲାମାନଙ୍କୁ ବହି ପଢ଼ା ପ୍ରତି ମନ ବଳାଇବା ନିମନ୍ତେ ପରାମର୍ଶ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଥିବା ‘ସୁନ୍ଦରଗଡ ବହି ପଢ’ ଅଭିଯାନକୁ ବଣାଇରେ କିପରି ଆହୁରି ବ୍ୟାପକ କରାଯାଇ ପାରିବ ସେ ସମ୍ପର୍କରେ ଉପ ଜିଲ୍ଲାପାଳ ଉପସ୍ଥିତ ଅଭିଭାବକମାନଙ୍କ ସହ ଆଲୋଚନା କରିଥିଲେ । ଚିତ୍ରାଙ୍କନ ଚାଲୁଥିବା ସମୟରେ ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକମାନେ ପାଠାଗାରର ରିଡିଙ୍ଗ ରୁମରେ ବସି ବିଭିନ୍ନ ବହି ପଢିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବଣାଇ ଏବିଇଓ ସଦାନନ୍ଦ ମହାନ୍ତି, ସିଆରସିସି ଅନ୍ତର୍ଯ୍ୟାମୀ ରଣା, ପିଇଓ ଥବୀର ମାଝି ଏବଂ ବଣାଇ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *