ନୁଆଁରମ୍ପେଲାରେ ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣକୁ ସରପଞ୍ଚଙ୍କ ସମେତ ଗ୍ରାମବାସୀଙ୍କ ବିରୋଧ

ରେଙ୍ଗାଲି : ରେଙ୍ଗାଲି ନିକଟସ୍ଥ ସାଳଡ ଗ୍ରାମ ପଞ୍ଚାୟତର ନୁଆଁରମ୍ପେଲା ଗ୍ରାମରେ ଆବର୍ଜନା ସଂଗ୍ରହ କେନ୍ଦ୍ର ଗୃହ ନିର୍ମାଣ କାମକୁ ସରପଞ୍ଚ ସମେତ ଗ୍ରାମବାସୀ ତୀବ୍ର ବିରୋଧ କରି ନିର୍ମାଣ କାମ ବନ୍ଦ କରିଦେଇଥିବା ଜଣାପଡ଼ିଛି । ସରପଞ୍ଚ ଏବଂ ଗ୍ରାମବାସୀଙ୍କ ଅଜ୍ଞାତରେ ଗାଁର ସାପ୍ତାହିକ ବଜାର ପାଇଁ ଉଦ୍ଦିଷ୍ଟ ଥିବା ସ୍ଥାନରେ ତଥା ଗ୍ରାମର ଦୁଇଟି ଗାଧୁଆ ଜଳଉତ୍ସ ଏବଂ ସ୍କୁଲ ପାଖରେ ଆବର୍ଜନା ସଂଗ୍ରହ ପାଇଁ ଗୃହ ନିର୍ମାଣ କାମ ଆରମ୍ଭ ହେଉଥିବାର ଜାଣିବା ପରେ ସରପଞ୍ଚ ସତ୍ୟନାରାୟଣ ମହାନନ୍ଦିଆ ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ନିର୍ମାଣ ସ୍ଥଳକୁ ପହଞ୍ଚି ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣକୁ ବିରୋଧ କରିଥିଲେ ।

ଜନବସତି, ସ୍କୁଲ ଏବଂ ପୋଖରୀ ପାଖରେ ଆବର୍ଜନା ସଂଗ୍ରହ କେନ୍ଦ୍ର ନିର୍ମାଣ କରାଗଲେ ପ୍ରଦୁଷଣ ସମସ୍ୟା ଦେଖାଦେବା ନିଶ୍ଚିତ ବୋଲି ଅସନ୍ତୁଷ୍ଟ ଗ୍ରାମବାସୀ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସାଳଡ ଗ୍ରାମ ପଞ୍ଚାୟତର ସରପଞ୍ଚ ନୁଆଁରମ୍ପେଲା ଗ୍ରାମର ଅଧିବାସୀ ଅଟନ୍ତି । କିନ୍ତୁ ପରିତାପର ବିଷୟ ଯେ ସରପଞ୍ଚ ଏବଂ ଗ୍ରମବାସୀଙ୍କ ଅଗୋଚରରେ ଏକ ଭୁଲ ସ୍ଥାନ ନିରୂପଣ କରାଯାଇ ଆବର୍ଜନା ସଂଗ୍ରହ କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଉଛି । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *