ମାର୍ଚ୍ଚ ୨୮ ରୁ ବଢିବ ତାତି

ଭୁବନେଶ୍ୱର : ୨୮ ତାରିଖରୁ ରାଜ୍ୟରେ ବଢ଼ିବ ତାତି । ଲଗାତର ୪-୫ ଦିନ ରାଜ୍ୟରେ ଏଭଳି ପାଗ ଜାରି ରହିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ସ୍ୱାଭାବିକଠୁ ୨ ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗବିତ୍‌ ପୂର୍ବାନୁମାନ କରିଛନ୍ତି ।

ଶନିବାର ରାଜ୍ୟର ୬ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ୨ଟି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୦.୫ ଡିଗ୍ରୀ ସେଲସିୟସ୍‌ ସହ ବୌଦ୍ଧ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା । ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦.୪, ବଲାଙ୍ଗୀର ୩୯.୮, ବାରିପଦା ଓ ଝାରସୁଗୁଡ଼ାରେ ୩୯.୬ ଏବଂ ତାଳଚେରରେ ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଭୁବନେଶ୍ୱର ଓ କଟକରେ ତାପମାତ୍ରା ୩୬.୮ ଡିଗ୍ରୀ ସେଲସିୟସ୍‌ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତା କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଁ ଭାଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟର ଅନ୍ୟ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ରବିବାର ରାଜ୍ୟରେ ପାଗ ଶୁଖିଲା ରହିବ । ଟାଣ ଖରା ହେବା ସହ ତାପମାତ୍ରା ବୃଦ୍ଧି ପାଇବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

Leave a Reply

Your email address will not be published. Required fields are marked *