ଚିତ୍ରଡ଼ା : ଗ୍ରୀଷ୍ମପ୍ରବାହ ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍ର ଜୁଆଳିଭଙ୍ଗା ପଞ୍ଚାୟତ ଅଧୀନ କାଳିଆନାଳ ଦେହୁରୀ ସାହିରେ ଜଳକଷ୍ଟ ଆରମ୍ଭ ହୋଇଗଲାଣି । ସାହିର ଏକମାତ୍ର ସୌଳଚାଳିତ ଜଳଯୋଗାଣ ପ୍ରକଳ୍ପ ଦୀର୍ଘ ଦିନରୁ ଅଚଳ ହୋଇପଡିଥିବା ବେଳେ ପାନୀୟ ଜଳର କିଛି ଅନ୍ୟ ବିକଳ୍ପ ନାହିଁ । ଫଳରେ ଶତାଧିକ ଲୋକେ ଜଳକଷ୍ଟ ଭୋଗ କରୁଛନ୍ତି ।
ସୋଲାର ପାଣିଟାଙ୍କିକୁ ମରାମତି କରାଯିବା ସହ ଏକ ନୂତନ ନଳକୂପ ଖୋଳିବା ପାଇଁ ଗ୍ରାମବାସୀ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟରୁ ନେଇ ବ୍ଲକ୍ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିଳିନାହିଁ । ଏହାର ପ୍ରତିବାଦରେ ଆଜି ଉମାକାନ୍ତ ଦେହୁରୀ, ରତ୍ନାକର ଦେହୁରୀ, କଟିଆ ଦେହୁରୀ, ସୁଲା ଦେହୁରୀ, ଚୁନି ଦେହୁରୀ, କୁନି ଦେହୁରୀ, ରୀତା ଦେହୁରୀ, କୌଶଲ୍ୟା ଦେହୁରୀ, ଗେଲ୍ହି ଦେହୁରୀ, ରମା ଦେହୁରୀ ପ୍ରମୁଖଙ୍କ ନେତୃତ୍ୱରେ ସାହିର ମହିଳାମାନେ ଦୀର୍ଘ ୧୫ କିମି ବାଟ ଚାଲି ଚାଲି ଆସି ଚିତ୍ରଡ଼ାସ୍ଥିତ ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ସାଗର ପାଲୋଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ ଓ ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଥିଲେ । ସପ୍ତାହେ ଭିତରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ନଚେତ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
