ଶ୍ରୀମନ୍ଦିର ନାଟମଣ୍ଡପ ଫାଟ ପ୍ରସଙ୍ଗ : ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକଙ୍କ ମନ୍ତବ୍ୟ ପରେ ଝଡ଼

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଫାଟ ଦେଖାଦେବା ପରେ ବିବାଦ ଘନେଇବାରେ ଲାଗିଛି । ଏହି ଫାଟ ପୁରୁଣା ନା ଏବେକାର, ତାକୁ ନେଇ ଭକ୍ତ, ସେବାୟତ ମହଲ ପ୍ରଶ୍ନ ଉଠାଇବା ସହ ଏହାର ଜବାବ ମାଗିଛନ୍ତି । ଏହି ଖବର ପ୍ରକାଶ ପରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ସ୍ଥାନୀୟ ଅଧିକାରୀ ଓ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ପୁରୁଣା ଫାଟ ବୋଲି ଦର୍ଶାଉଛନ୍ତି । କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ତଥା ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ ଗଣମାଧ୍ୟମ ଆଗରେ ଏ ଉପରେ ଚାଞ୍ଚଲ୍ୟକର ବୟାନ ରଖିବା, ସବୁ ମିଛ ଧରାପକାଇ ଦେଇଛି । ଶ୍ରୀ ମଲ୍ଲିକ ସିଧାସଳଖ କହିଛନ୍ତି, ୨୦୧୮ ମସିହାରେ ନାଟମଣ୍ଡପରେ କୌଣସି ଫାଟ ନଥିଲା କି ଏହାର କୌଣସି ମରାମତି କରାଯାଇନି । ଆଇଆଇଟି ମାଡ୍ରାସ କେବଳ ଏହାର ସ୍ଥିତି ଅନୁଧ୍ୟାନ କରୁଛି ଓ ଏବେ ବି ଅନୁଧ୍ୟାନ ଜାରି ରହିଛି । ପ୍ରତ୍ନତତ୍ତ୍ବ ବିଭାଗ ଓଡ଼ିଶା ମୁଖ୍ୟଙ୍କ ଏଭଳି ବୟାନ ଝଡ଼ ସୃଷ୍ଟି କରିଛି ।

କିଛି ଦିନ ତଳେ ଶ୍ରୀମନ୍ଦିର ନାଟମଣ୍ଡପରେ ଏକାଧିକ ଫାଟ ଦେଖିବାକୁ ମିଳିଥିଲା । ନାଟମଣ୍ଡପ ଛାତରେ ଜୟ-ବିଜୟଦ୍ବାର ଓ ଦାନ ହୁଣ୍ଡି ମଝିରେ ଏକ ତିନିକୋଣିଆ କୋଠରି ବି ଏକ ବଡ଼ ଫାଟ ଦେଖିବାକୁ ମିଳିଥିଲା । ଯାହାର ଲମ୍ବ ପ୍ରାୟ ଅଢ଼େଇ ଫୁଟ ଓ ଓସାର ଦେଢ଼ ଇଞ୍ଚ ପାଖାପାଖି ରହିଥିଲା । ସ୍ଥିତି ଅନୁଧ୍ୟାନ ବେଳେ ନାଟମଣ୍ଡପର ଆହୁରି ଅନେକ ଜାଗାରେ ବି ଫାଟ ରହିଥିବା ଦେଖିବାକୁ ମିଳିଥିଲା । ସେହିଭଳି ଘଣ୍ଟିଦ୍ବାର, ଜୟ-ବିଜୟ ଦ୍ବାର, ବେହେରଣ ଦ୍ବାର‌ ନିକଟରେ ବି ଫାଟ ରହିଥିଲା । ଏହି ଫାଟ ‌ଜଣାପଡ଼ିବା ପରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ କିଭଳି ସୁରକ୍ଷା ଦେଇ ଆସୁଛି, ସ୍ପଷ୍ଟ ବାରି ହୋଇପଡ଼ୁଛି । ଯେଉଁଭଳି ଫାଟ ଚାରିଆଡ଼େ ଦେଖାଗଲାଣି, ଏହା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରିଥିବାବେଳେ ଏହି ଫାଟ କେବେକାର ବୋଲି ପ୍ରଶ୍ନ ଉଠାଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଗଣିତ ଭକ୍ତ । ଏହାକୁ ନେଇ ସମାଲୋଚନା ଆରମ୍ଭ ପରେ ପ୍ରତ୍ନତତ୍ତ୍ବ ବିଭାଗର ସ୍ଥାନୀୟ ଅଧିକାରୀମାନେ ଏହାକୁ ପୁରୁଣା ଫାଟ ବୋଲି ଦର୍ଶାଇଥିଲେ । ଏହାକୁ ଆଇଆଇଟି ଖଡ଼ଗପୁର ଅନୁଧ୍ୟାନ କରୁଛି ବୋଲି ମତ ରଖିଥିଲେ ।

ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ବି ଏହି ଫାଟ ପୁରୁଣା ଓ ଏ ସମ୍ପର୍କରେ ବାରମ୍ବାର ପ୍ରତ୍ନତତ୍ତ୍ବ ବିଭାଗକୁ ଚିଠି କରାଯାଇଛି ବୋଲି କହିଥିଲେ । କିନ୍ତୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଓଡ଼ିଶା ମୁଖ୍ୟ ଭିନ୍ନ ମତ ଦେବା ଫାଟକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ୨୦୧୮ ମସିହାରେ ନାଟମଣ୍ଡପରେ ଫାଟ ଥିଲା କି ବୋଲି ପ୍ରଶ୍ନରେ ପ୍ରତ୍ନତତ୍ତ୍ବ ବିଭାଗ ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି, ସେ ସମୟରେ ନାଟମଣ୍ଡପରେ କିଛି ବି ଫାଟ ନଥିଲା କି ଏହାର କୌଣସି ମରାମତି କରାଯାଇନଥିଲା । ଆଇଆଇଟି ମାଡ୍ରାସର ଏକ ଟିମ୍‌ ଶ୍ରୀମନ୍ଦିର ଆସି ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଥିଲେ । ସେ ସମୟରେ କୌଣସି ଫାଟ ଦେଖିବାକୁ ମିଳିନଥିଲା । ଏଣୁ ଆଇଆଇଟି ମାଡ୍ରାସ ପକ୍ଷରୁ ଆସିଥିବା ଏହି ଟିମ୍‌ ଫାଟ ଅନୁଧ୍ୟାନ ପାଇଁ କ୍ରାକ୍‌ ମିଟର ଲଗାଇଥିଲେ । ଏବେ ବି ଆଇଆଇଟି ମାଡ୍ରାସ କ୍ରାକ୍‌ ମିଟର ଜରିଆରେ ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରୁଛନ୍ତି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ଶ୍ରୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ପରେ ତର୍କବିତର୍କ ଆରମ୍ଭ ହୋଇଯାଇଛି । କିଏ ସତ ଓ କିଏ ମିଛ, ତାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି ।

Leave a Reply

Your email address will not be published. Required fields are marked *