ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ : ଭାଇରାଲ୍‌ ହେଉଛି ଶ୍ରୀମନ୍ଦିର ନିର୍ମାଣ ଶୈଳୀ ନକ୍ସା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ଘନେଇଥିବା ବେଳେ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ତଥା ଚିତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ସମ୍ବଲପୁରରେ କେହି ବ୍ୟକ୍ତି ଏହି ଚିତ୍ରଙ୍କୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଆଜି ପୁରୀ ଜିଲ୍ଲାର ଅନେକ ସୋସିଆଲ୍‌ ସାଇଟ୍‌ରେ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି ।

ଶ୍ରୀମନ୍ଦିର କେଉଁଭଳି ଚାପବଳୟ ଉପରେ ଠିଆ ହୋଇଛି ଓ ଏହି ଚାପ ବଳୟ ଖନନ କଲେ ଶ୍ରୀମନ୍ଦିର ଉପରେ କି ପ୍ରଭାବ ପଡ଼ିବ, ସେ ଉପରେ ଚିତ୍ରରେ ଦର୍ଶାଯାଇଛି । ସମ୍ବଲପୁରର ଯେଉଁ ବ୍ୟକ୍ତି ଏହି ଚିତ୍ର କରିଛନ୍ତି, ସେ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି କି ବିଶ୍ବର ଅଣଗିତ ଭକ୍ତଙ୍କ ଅସ୍ମିତା ସହ ଜଡ଼ିତ ଶ୍ରୀମନ୍ଦିର ଏକ ଚାପ ବଳୟ ଉପରେ ଠିଆ ହୋଇଛି । ତଳୁ ଏକ ବିରାଟ ଚାପବଳୟ ଶ୍ରୀମନ୍ଦିର ଧରିରଖିଛି । ମାଟି, ବାଲିର ଏହି ଚାପ ବଳୟ ଶ୍ରୀମନ୍ଦିର ଓଜନ ହେତୁ ସୃଷ୍ଟି ହୋଇଛି । କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ଏହି ଚାପ ବଳୟକୁ ପ୍ରଭାବିତ କରୁଛି । ଚାପ ବଳୟ ପ୍ରଭାବିତ ହେବା ଦ୍ବାରା ମାଟିର ଓଜନ ଧାରଣ କ୍ଷମତାରେ ବି ହ୍ରାସ ପାଉଛି । ଯାହା ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହୋଇପାରେ ବୋଲି ଏହି ଚିତ୍ରରେ ଦର୍ଶାଯାଇଛି । ଚିତ୍ରରେ ଚାପ ବଳୟର ଏକ ଗୋଲାକାର ଆକୃତି ଉପରେ ଶ୍ରୀମନ୍ଦିର, ମେଘନାଦ ପାଚେରି କିଭଳି ରହିଛି, ତାକୁ ଏହି ଚିତ୍ର ଜରିଆରେ ଦର୍ଶାଯାଇଛି । କିଏ ‌ଏହି ଚିତ୍ର କରିଛନ୍ତି ତାହା ସ୍ପଷ୍ଟ ହୋଇନଥିଲେ ବି ଆଜି ଦିନତମାମ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଭକ୍ତ, ସେବାୟତ ମହଲରେ ବି ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି । ବିଭିନ୍ନ ସୋସିଆଲ୍‌ ମିଡିଆରେ ବି ଏହା ଭାଇରାଲ୍‌ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *