କରୋନା ପାଇଁ ଲାଗୁ ହୋଇଛି କଟକଣା : କେନ୍ଦ୍ର ହଟାଇଲା, ରାଜ୍ୟ କେବେ ?

ଭୁବନେଶ୍ବର : କୋଭିଡ-୧୯ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଯେଉଁସବୁ କଟକଣା ଜାରି କରିଥିଲେ ତାହା ଚଳିତମାସ ୩୧ ତାରିଖ ପରେ ଆଉ ରହିବ ନାହିଁ । ରାଜ୍ୟ ସରକାର ସମାନ ଢଙ୍ଗରେ କରୋନାକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିବା ସହିତ ମହାମାରୀ ଆଇନ ଲାଗୁ କରିଛନ୍ତି । ପରବର୍ତୀ ସମୟରେ କୋଭିଡ ନିୟନ୍ତ୍ରଣ ପାଇଁ ମହାମାରୀ ରୋଗ(ସଂଶୋଧିତ) ଆଇନ-୨୦୨୦ ଲାଗୁ ହୋଇଛି । ଏଥିରେ ଅବଜ୍ଞା କଲେ ସର୍ବାଧିକ ୧୦ ହଜାର ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ରହିଛି । ଏବେ ରାଜ୍ୟ ସରକାର ଏସବୁ ଆଇନ ଅନୁଯାୟୀ ଲାଗିଥିବା କଟକଣା ହଟାଇବେ ନା ଆଉ କିଛିଦିନ ଏହା ଜାରି ରହିବ ତ‌ା‌ହା ଉପରେ ନଜର ରହିଛି ।

ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ(ଏନ୍‌ଡିଏମ୍‌ଏ) କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ଲାଗି ରାଜ୍ୟମାନଙ୍କୁ ନିର୍ଦେଶ ଦେଇଥିଲେ । ପରବର୍ତୀ ସମୟରେ ରାଜ୍ୟ ସରକାର ଏନ୍‌ଡିଏମ୍‌ଏର ନିର୍ଦେଶନାମା ଆଇନ୍‌ ଅନୁସାରେ ରାଜ୍ୟରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ । ଏଥିରେ ଲକ୍‌ଡାଉନ୍‌/ସଟ୍‌ଡାଉନ୍ ମଧ୍ୟ ଏକ ପ୍ରମୁଖ ଅସ୍ତ୍ର ରହିଥିଲା । ଏହାସହ ରାଜ୍ୟରେ କୋଭିଡ ନିୟନ୍ତ୍ରଣ ଓ ଜରୁରୀକାଳୀନ ସାମଗ୍ରୀ କିଣା ପାଇଁ ରାଜ୍ୟ ସରକାର ଏକ କ୍ଷମତାସଂପନ୍ନ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଥିଲେ । ଦୁଇଦିନ ତଳେ କେନ୍ଦ୍ର ସରକାର ଏନ୍‌ଡିଏମ୍‌ଏ ପକ୍ଷରୁ ଜାରି ନିର୍ଦେଶନାମାକୁ ପ୍ରତ୍ୟାହାର କରିନେବା ପରେ ରାଜ୍ୟମାନେ ଲଗାଇଥିବା କଟକଣାକୁ ହଟାଇବା ଲାଗି ଚିଠି ଲେଖିଛନ୍ତି ।

ଅପରପକ୍ଷରେ ଓଡ଼ିଶାରେ ଏବେ ଦୈନିକ ସଂକ୍ରମଣ ୫୦ ତଳେ ରହିଛି । ପ୍ରାୟ ଅଧା ଜିଲ୍ଲାରୁ କୌଣସି ରୋଗୀ ଚିହ୍ନଟ ହେଉନଥିବା ବେଳେ କିଛି ଜିଲ୍ଲାରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ଶୂନ ରହିଛି । ଏଭଳି ପରିସ୍ଥିତିରେ ଏନ୍‌ଡିଏନ୍‌ଏ ଓ ମହାମାରୀ ଆଇନ ଅନୁଯାୟୀ ରାଜ୍ୟରେ ଯେଉଁ କଟକଣା ରହିଛି, ତାହାକୁ ହଟାଇବାରେ କୌଣସି ସମସ୍ୟା ନଥିବା ବିଶେଷଜ୍ଞମାନେ କହୁଛନ୍ତି । ମିଳିଥିବା ସୂଚନା ଅନୁସାରେ, କ୍ଷମତା ସଂପନ୍ନ ମନ୍ତ୍ରୀସ୍ତରୀୟ ବୈଠକ ଆଜି ବସିବା ସହିତ କଟକଣା ହଟାଇବା ସଂପର୍କରେ ଆଲୋଚନା ହୋଇଥାନ୍ତା । ମାତ୍ର ଏହାକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ପରିଚାଳନା ନିର୍ଦେଶିକା ଶାଳିନୀ ପଣ୍ଡିତଙ୍କୁ ଏ ସଂପର୍କରେ ସଂପର୍କ କରାଯାଇଥିଲେ ହେଁ, ତାଙ୍କ ପାଖରେ ଏ ସଂପର୍କରେ କୌଣସି ସୂଚନା ନଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *