ଜଳୁଛି ପଶ୍ଚିମ ଓଡ଼ିଶା, ୪୧ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ସହ ବୌଦ୍ଧ ପାଲଟିଛି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର : ଜଳୁଛି ପଶ୍ଚିମ ଓଡ଼ିଶା । ୪୧ ଡିଗ୍ରି ସର୍ବୋଚ୍ଚ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏହା ପଛକୁ ରହିଛି ବଲାଙ୍ଗୀର ଓ ଟିଟିଲାଗଡ଼ ସହର । ଏ ଦୁଇ ସହର ମଧ୍ୟ ରାଜ୍ୟର ଉତ୍ତପ୍ତ ସହରର ରେକର୍ଡ ବଜାୟ ରଖିଛନ୍ତି । ୪୦.୫ ଡିଗ୍ରି ସହ ବଲାଙ୍ଗୀର ଦ୍ବିତୀୟ ସ୍ଥାନରେ ରହିଛି । ଏହା ବ୍ୟତୀତ ଭବାନୀପାଟଣା, ସୋନ୍‌ପୁର, ଫୁଲବାଣୀ ଓ ତାଳଚେରର ଦିନ ତାପମାତ୍ରା ୩୯ ଡିଗ୍ରି ପାର୍‌ କରିଛି । ଗତକାଲି ଅପେକ୍ଷା ଆଜି ରାଜ୍ୟର ତାପମାତ୍ରା ଅପେକ୍ଷାକୃତ କମ୍‌ ଥିଲେ ହେଁ ମାର୍ଚ୍ଚ ଶେଷ ସପ୍ତାହ ଭୀଷଣ ଖରା ରାଜ୍ୟବାସୀଙ୍କୁ ସନ୍ତୁଳି ଦେଉଛି । ଅନ୍ୟପଟେ ଉପକୂଳ ଓଡ଼ିଶାର ସର୍ବୋଚ୍ଚ ତାପମାତ୍ରା ଏବେ ଅପେକ୍ଷାକୃତ କମ୍‌ ରହିଛି । ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଫଳରେ ପଶ୍ଚିମ ଓଡ଼ିଶାର ତାପମାତ୍ରା ଏହିଭଳି ଅଧିକ ରହିବ ଓ ତାତିରେ ସିଝିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ର ଆହୁରି କହିଛି, ଆଜି ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି । ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଆଦି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ଏଣୁ ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ତାପମାତ୍ରା ବିଶେଷ ବୃଦ୍ଧି ଘଟିବ ନାହିଁ । କିନ୍ତୁ ରାଜ୍ୟର ଅବଶିଷ୍ଟ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରି ଯାଏ ଅଧିକ ରହିବ । ଆସନ୍ତାକାଲି ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୭ ଡିଗ୍ରି ପାଖାପାଖି ରହିବ । ଦିନରେ ଆକାଶ ନିର୍ମଳ ରହିବ ଓ ଅପରାହ୍‌ଣ ଆଡ଼କୁ ପାଗ ‌ଆଂଶିକ ମେଘୁଆ ରହିବ । ରାତି ତାପମାତ୍ରା ୨୪ ଡିଗ୍ରି ପାଖାପାଖି ରହିବ ।

Leave a Reply

Your email address will not be published. Required fields are marked *