ତେଲକୋଇ : ତେଲକୋଇରେ ଗୋଠଛଡା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବାକୁ ଗୋଡାଉଛି । ସଂଧ୍ୟା ନ ହେଉଣୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛି ଦନ୍ତା ।
ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରାଇସୁଆଁ ପଞାୟତ ରାଣିବେଡା ଗାଁ ନୂଆସାହିରେ ପଶି ଧର ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି । ଘର ଭାଙ୍ଗିବା ଦେଖି ଧରମୁଣ୍ଡା ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ, ସାହି ଲୋକଙ୍କୁ ଡାକିଥିଲେ । ସାହିଲୋକେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡାଇଥିଲେ ।
ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଦନ୍ତା ହାତୀଟି ନିଆଁ ଭୟରେ ଗାଁ ମୁହାଁ ହେଉଛି । ସେପଟେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବନ୍ୟଯନ୍ତୁଙ୍କ ଖାଦ୍ୟ ଜଳିପୋଡି ନଷ୍ଟ ହୋଇଯାଉଥିବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିବା ଲୋକେ ପ୍ରକାଶ କରିଛନ୍ତି ।
