ମୃତ କୁମ୍ଭୀର ଉଦ୍ଧାର ଘଟଣା : ମୃତ୍ୟୁର କାରଣ ଖୋଜୁଛି ବନବିଭାଗ

ହରଭଙ୍ଗା : ବୌଦ୍ଧ ବନଖଣ୍ଡ ଅଧିନସ୍ଥ ମାଧପୁର ଫରେଷ୍ଟ ରେଞ ଅନ୍ତର୍ଗତ ତଳଗାଁ ସ୍ଥିତ ଡମକୁଜ ଡ୍ୟାମରୁ ଗତ ତିନିଦିନ ତଳେ ବନବିଭାଗ ଏକ ଗୋମୁହାଁ(ମଗର) ପ୍ରଜାତି କୁମ୍ଭୀରର ମୃତଦେହ ଉଦ୍ଧାର କରିଥିଲା । ମୃତ କୁମ୍ଭୀରର ଶବ ବ୍ୟବଛେଦ କଲାପରେ ଏହା ଏକ ମାଈ କୁମ୍ଭୀର ବୋଲି ସ୍ପଷ୍ଟ ହୋଇଥିଲା । କୁମ୍ଭୀର ପେଟରୁ ଅଣ୍ଡା ମଧ୍ୟ ବାହାରିଥିଲା । ମୃତ କୁମ୍ଭୀର ଲମ୍ବ ୮ ଫୁଟ ହୋଇଥିବାବେଳେ ବୟସ ୩୫ ବର୍ଷ ରୁ ଅଧିକ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । କେଉଁ କାରଣରୁ କୁମ୍ଭୀରର ମୃତ୍ୟୁ ଘଟିଛି ତାକୁ ନେଇ ବନବିଭାଗ ଖୋଳତାଡ ମଧ୍ୟ ଆରମ୍ଭ କରିଛି ।

ଏହି ଘଟଣାକୁ ନେଇ ଆଜି ବନ୍ୟପ୍ରାଣୀ ବିଭାଗ ଏବଂ ବନବିଭାଗ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଭୂବନେଶ୍ୱରରେ ବସିଥିବା ମଧ୍ୟ ସୂଚନା ମିଳିଛି । ଏଭଳି ପ୍ରଜାତିର କୁମ୍ଭୀର ଡମକୁଡ ଡ୍ୟାମରେ ୧୯୯୯ ମସିହା ବନ୍ୟାରେ ଆସିଥିବା ବନବିଭାଗ ଅନୁମାନ ଲଗାଇଛି । ମାଈ କୁମ୍ଭୀର ପେଟରୁ ଅଣ୍ଡା ମିଳିଥିବାରୁ ଡ୍ୟାମରେ ଅଣ୍ଡିରା କୁମ୍ଭୀର ଥିବା ମଧ୍ୟ ଅନୁମାନ କରାଯାଉଛି । ବିଶେଷକରି ଏହି ପ୍ରଜାତିର କୁମ୍ଭୀର ଗାଈ, ଗୋରୁ, ମଣିଷ ପାଇଁ ଅଧିକ ବିପଦ ଥିବାରୁ ଡ୍ୟାମ ମଧ୍ୟକୁ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି । ମାତ୍ର ଘଟଣାର ତିନିଦିନ ପରେ କୁମ୍ଭୀର ମୃତ୍ୟୁର କାରଣ ସ୍ପଷ୍ଟ ହେଉନଥିବାରୁ ତାକୁ ନେଇ ବନବିଭାଗ ଅଧିକ ଖୋଳତାଡ ଆରମ୍ଭ କରିଛି । ଏ ସର୍ମ୍ପକରେ ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ କୁମ୍ଭୀର ମୃତ୍ୟୁ ଘଟଣାର ସବୁଦିଗକୁ ନେଇ ତଦନ୍ତ ଜାରି ରହିଛି । ଏ ସର୍ମ୍ପକରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଅତିଶୀଘ୍ର କୁମ୍ଭୀର ମୃତ୍ୟୁ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *