ତେଲକୋଇ : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଏକର ଏକର ଜଙ୍ଗଲ ପୋଡି ପାଉଁଶ । କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ୍ ବିମଳା ଫରେଷ୍ଟ ବିଟ୍ର କରଦାଙ୍ଗି ଗାଁ ଘୋଡାବେଡ଼ା ସାହି ନିକଟ ମାଙ୍କଡ଼ଚୁଆ ଜଙ୍ଗଲରେ ଲାଗିଛି ନିଆଁ । ତେବେ ସନ୍ଧ୍ୟା ହେଲେ ବଢୁଛି ନିଆଁର ପ୍ରକୋପ । ନିଆଁର ଆଁ ଭିତରେ ନଷ୍ଟ ହୋଇଯାଉଛି ମୂଲ୍ୟବାନ ଗଛଲତା ଏବଂ ଔଷଧିୟ ଗଛ । ଜଙ୍ଗଲରେ ଥିବା ବାରାହା୍, କୁଟୁରା ସମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ଶିକାରୀଙ୍କ ହାବୁଡ଼ରେ ପଡ଼ି ତାଙ୍କର ପ୍ରାଣ ଯାଉଛି ।
ସେପଟେ ଦୀର୍ଘ ଦିନଧରି କରଦାଙ୍ଗି ଗାଁରେ ବିମଳା ଫରେଷ୍ଟର ଓ କର୍ମଚାରୀ ଡେରା ପକାଇ ରହିଥିଲେ । କିନ୍ତୁ କର୍ମଚାରୀଙ୍କ ନାକତଳେ ଜଙ୍ଗଲ ଜଳିବା ବନବିଭାଗର ପାରିବାପଣିଆକୁ ପଦାରେ ପକାଇଛି । ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନବିଭାଗ ଏପର୍ଯ୍ୟନ୍ତ ସେଭଳି କିଛି ସଠିକ୍ ପଦକ୍ଷେପ ଗ୍ରହଣ କରିନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
