ବଣାଇ : ବିଗତ ୧ ମାସ ମଧ୍ୟରେ ବଣାଇର ମୁଖ୍ୟ ବଜାର ଠାରୁ ଆରମ୍ଭ କରି କନ୍ତଯୋଡି ପର୍ଯ୍ୟନ୍ତ ବିଭିନ୍ନ ଦୋକାନର ଶଟର ଭାଙ୍ଗିବା ସହିତ, ଘରେ କେହି ନଥିବାର ସୁଯୋଗରେ କବାଟ ଭାଙ୍ଗି ଚୋରି କରିବା, ଘର ବାଡ଼ିରୁ ପାଣି ପମ୍ପ ଚୋରି କରିବା ଚୋରମାନଙ୍କ ପାଇଁ ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି । ଗତକାଲି ବିଳମ୍ବିତ ରାତିରେ ରାଜା ଧରଣୀଧର ହାଇସ୍କୁଲ ଛକରେ ଥିବା ମଡେଲ ମାର୍କେଟର ଦୁଇଟି ଦୋକାନରୁ ଶଟର ଭାଙ୍ଗି ସୁନା ଗହଣା ସହିତ ଏକ କପଡା ଦୋକାନରୁ ବିଭିନ୍ନ ପ୍ରକାର ପୋଷାକ ସମେତ ନଗଦ ଟଙ୍କା ଚୋରି ହୋଇଥିବା ଜଣାପଡିଛି ।

ଦୋକାନରେ ସିସିଟିଭି ଲାଗିଥିବା ସତ୍ତ୍ୱେ କ୍ୟାମେରାକୁ ଅନ୍ୟ ଦିଗକୁ ଓଲଟାଇ ଚୋରି କରିଥିବା ଦୋକାନର ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଭାବେ ମାରୁତି ସୋ ରୁମ ପାଖରେ ଥିବା ଏକ ରାସନ୍ ଦୋକାନରୁ ତାଲା ଭାଙ୍ଗି ୧୫୦୦ ଟଙ୍କା ସହ ବିଭିନ୍ନ ପ୍ରକାର ସାମଗ୍ରୀ ଚୋରମାନେ ନେଇଯାଇଛନ୍ତି । ଚର୍ଚ ଛକରେ ଚୁଡ଼ା ମଣି ସାହୁଙ୍କ ଘରେ ଭଡ଼ାରେ ରହୁଥିବା ନିର୍ମଳ ଓରାମଙ୍କ ସ୍କୁଟି ଟି ସବୁଦିନ ଭଳି ଘର ସାମ୍ନାରେ ଥିବାବେଳେ ତାକୁ ମଧ୍ୟ ଚୋରମାନେ ଗଡ଼ାଇ ଗଡ଼ାଇ ନେଇ ଯାଇଛନ୍ତି । ତେବେ ଏ ସମସ୍ତ ବିଷୟରେ ଵଣାଇଁ ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ରଞ୍ଜନ କୁମାର ନାଏକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।
