ଚାନ୍ଦିପୁର : ବାଲେଶ୍ବର ଚାନ୍ଦିପୁର ପ୍ରତିରକ୍ଷା ବିଭାଗ ଏବଂ ଡିଆରଡିଓ ସହଯୋଗରେ ୧୯୯୩ ମସିହାରୁ ରେଞ୍ଜ ସ୍କୁଲ ପରିଚାଳନା ହୋଇ ଆସୁଛି । ଏହି ସ୍କୁଲରେ ପରିଚାଳନାଗତ ତ୍ରୁଟି ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟକଳାପ ଯୋଗୁଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ପ୍ରତି ପିଲାଙ୍କ ପାଇଁ ମାସକୁ ୩ ରୁ ୪ ଶହ ଟଙ୍କା ଦେଇ ପାଠ ପଢ଼ାଇବା ପାଇଁ ସୁଯୋଗ ଥିବାରୁ ବହୁ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ । କିନ୍ତୁ ୩ ବର୍ଷ ପୂର୍ବରୁ ଅଭିଭାବକମାନଙ୍କୁ ନ ଜଣାଇ ଡିଆରଡିଓ ଅନୁଦାନ କମାଇ ଦେଇଥିବା କଥା କହି ପ୍ରତି ପିଲାଙ୍କ ମାସିକ ଫିସ୍ ୩ ହଜାର ଟଙ୍କା ଅଧିକ କରିଦେଲେ ।
କୌଣସି ଉପାୟ ନପାଇ ଅଭିଭାବକମାନେ ପିଲାଙ୍କୁ ପଢ଼ାଉଥିଲେ । କିନ୍ତୁ ଗତ ୨୦ ତାରିଖରେ ଅନ୍ଲାଇନ ପରୀକ୍ଷା ସରିବା ପରେ ଗତକାଲି ଅଧ୍ୟକ୍ଷ ମେସେଜ ମାଧ୍ୟମରେ ନବମ ଏବଂ ଏକାଦଶ ଶ୍ରେଣୀ ପିଲାଙ୍କ ଟିସି ନେଇଯିବା ପାଇଁ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ଅଭିଭାବକଙ୍କ ପକ୍ଷରୁ ଏ ସଂପର୍କରେ ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେବଳ ମ୍ୟାନେଜମେଣ୍ଟରୁ ନିର୍ଦ୍ଦେଶ ଆସିଛି ବୋଲି କହି ଅଧ୍ୟକ୍ଷ କଥା ଏଡାଇ ଦେଇଥିଲେ । ଏହାକୁ ନେଇ କିଛି ସମୟ ପାଇଁ ଅଭିଭାବକଙ୍କ ମହଲରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଆଗାମୀ ଦିନରେ ଏହାର ସ୍ଥାୟୀ ପ୍ରତିକାର ନହେଲେ ସମସ୍ତ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସ୍କୁଲ ଆଗରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
