ମନରେଗା ଅର୍ଥ ହରିଲୁଟ୍‌ ମାମଲା, ୩ ଅଧିକାରୀଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ପଂଚାୟତର ମାଧପୁର ଗାଁରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଏକ ବେଲ ବଗିଚା ପ୍ରକଳ୍ପ ନାଁରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଘଟଣା ଗତ ଜୁନ୍‌ ୨୦୨୧ ରେ ପଦାକୁ ଆସିଥିଲା । ଏ ସର୍ମ୍ପକରେ ଜିଲ୍ଲା ଆମ୍ବୁଡସ୍‌ମ୍ୟାନ ଅଦାଲତ ବୌଦ୍ଧରେ ଏକ ମାମଲା ରୁଜୁ ହୋଇଥିଲା । ଆମ୍ବୁଡସ୍‌ମ୍ୟାନ ବିଚାରପତି ଦୀଲ୍ଲିପ ମହାପାତ୍ର ଉକ୍ତ ମାମଲାର ଶୁଣାଣି କରି ବିଭାଗୀୟ ୩ ଜଣ ଉଦ୍ୟାନ କୃଷି ଅଧିକାରୀଙ୍କ ଠାରୁ ୫ ଲକ୍ଷ ୯୨ ହଜାର ୫ ଶହ ୪୦ ଟଙ୍କା ଭରଣା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେମାନଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ପାଇଁ ରାଜ୍ୟ ମୁଖ୍ୟ ସଚିବ, ପଂଚାୟତିରାଜ ବିଭାଗ ସଚିବ, ବୌଦ୍ଧ ଜିଲ୍ଲାପାଳ, ବୌଦ୍ଧ ପି.ଡିଙ୍କୁ ସୁପାରିସ କରିଥିବା ଜଣାପଡିଛି । ଅମ୍ବୁଡସମ୍ୟାନ ଅଦାଲତଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ଜିଲ୍ଲାରେ ମନରେଗା ଆଇନର ଅପବ୍ୟବହାର କରୁଥିବା ସରକାରୀ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

ସୂଚନା ଥାଉ କି ହରଭଙ୍ଗା ବ୍ଲକର ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର ମାଧପୁର ଗ୍ରାମରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମନରେଗା ଯୋଜନାରେ ଏକ ବେଲ ବଗିଚା ପ୍ରକଳ୍ପ ନାଁରେ ଅର୍ଥ ହରିଲୁଟ ହୋଇଥିବା ଏକ ଅନୁସନ୍ଧାନମୂଳକ ଶୀର୍ଷକ ଖବର ୨୩ ଜୁନ ୨୦୨୧ ରେ ଖବର ପ୍ରକାଶ ପାଇଥିଲା । ଖବରର ସତ୍ୟତା ଜଣାପଡିବାରୁ ଏହା ଉପରେ ଅମ୍ବୁଡସମ୍ୟାନ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ସୂଚନା ଅନୁସାରେ ଜିଲ୍ଲାର ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର ମାଧପୁର ଗ୍ରାମର ହିତାଧିକାରୀ ରବିନ୍ଦ୍ର କହଁର ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ମନରେଗା ଯୋଜନାରେ ୨୦୧୮-୧୯ ଆର୍ଥୀକ ବର୍ଷରେ ୪ ହେକ୍ଟର ଜମିରେ ବେଲ ବଗିଚା ଭଳି ଔଷଧୀୟ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଗଲା । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ୧୧ ଲକ୍ଷ ୬୦ ହଜାର ଟଙ୍କା ମନରେଗା ଯୋଜନାରେ ମଞ୍ଜୁର ହୋଇଥିଲା । ପ୍ରକଳ୍ପ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିଲା । ମାତ୍ର ବେଲ ବଗିଚା ପ୍ରକଳ୍ପ କାର୍ଯ୍ୟରେ ଶ୍ରମିକ, ଖତସାର, ତାରବାଡ ଏବଂ ଅନ୍ୟାନ୍ୟ ବାବଦକୁ ୫ ଲକ୍ଷ୯୨ ହଜାର ଟଙ୍କା ବ୍ୟୟବରାଦ ସରିଥିବା ସୂଚନା ମିଳିଥିଲା ।

ମାତ୍ର ଲକ୍ଷାଧିକ ଟଙ୍କା ବ୍ୟୟବରାଦ ପରେ ବି ବେଲ ବଗିଚା ପ୍ରକଳ୍ପରେ ନାଁ ଗୋଟିଏ ବେଲ ଗଛ ଅଛି ନାଁ ବେଲ ଗଛର ବାସ୍ନା ରହିଛି । କେବଳ ଲୁହା ତାର ଜାଲି ଖାଲି ପଡିଆକୁ ଅନେଇ ବସିଥିବା ଭଳି ଚିତ୍ରକୁ ଲକ୍ଷ୍ୟକଲା ପରେ ଏହି ପ୍ରକଳ୍ପ ନାଁରେ   ଲକ୍ଷ ଲକ୍ଷ ଦୁର୍ନୀତି ହୋଇଥିବା ବାସ୍ନା ପଦାକୁ ଆସିଥିଲା । ମନରେଗା ଭଳି ଏକ ଶ୍ରମଭିତ୍ତିକ ଆଇନକୁ ଅପବ୍ୟବହାର କରି ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଦ୍ୱାରା ଯୋଜନାର ବାଟମାରଣା ହୋଇଥିବା ଅମ୍ବୁଡସମ୍ୟାନ ଅଦାଲତଙ୍କ ଶୁଣାଣି ପରେ ଏହା ସ୍ପଷ୍ଟ ହୋଇଛି । ତୁରନ୍ତ ଦୁର୍ନୀତିରେ ଲିପ୍ତଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସବୁମହଲରୁ ଦାବି ଉଠୁଛି ।

Leave a Reply

Your email address will not be published. Required fields are marked *