ହରଭଙ୍ଗା : ଅଭାଗିନୀ ପଦ୍ମିନୀ । କୁନିକୁନି ଆଖିରେ ତାଙ୍କର ଅସୁମାରୀ ସ୍ବପ୍ନ । ଅଭାବୀ ପରିବାରରେ ଜନ୍ମ ନେଇ ମଧ୍ୟ ପଠପଢ଼ିବାରେ ଥିଲା ତାଙ୍କର ଅହେତୁକ ଆଗ୍ରହ । ଗରିବ ଘରେ ପାଠପଢାରେ ବାଧା ହେବାରୁ ମାଆ, ବାପା ତାଙ୍କୁ କେନ୍ଦୁଝରରେ ଜଣେ ବ୍ୟକ୍ତିଙ୍କ ଘରେ ରଖିଥିଲେ । ତାଙ୍କ ଘରେ ଛୋଟଛୁଆର ଦେଖାଶୁଣା ସାଙ୍ଗକୁ ସ୍କୁଲ ଯାଇ ଦଶମ ଶ୍ରେଣୀରେ ପାଠପଢୁଥିଲେ । ପାଠପଢି ଗରିବ ମାଆ ବାପାଙ୍କ ଦୁଃଖ ଦୂର କରିବାକୁ ମଧ୍ୟ ସ୍ୱପ୍ନ ଦେଖିଥିଲେ । ସବୁ ଠିକ୍ ଠାକ୍ ଚାଲିଥିଲା । ଜୁନ ମାସରେ ଫୋନରେ କଥା ହେଉହେଉ ତିନି ମହଲା ଛାତ ଉପରୁ ଖସିପଡିଲେ ପଦ୍ମିନୀ । ଏତେ ଉପରୁ ପଡିବା ଫଳରେ ତାଙ୍କର ଅଂଟା ଭାଙ୍ଗିଗଲା । ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମ ବଜାରସାହି ବାସିନ୍ଦା ଗରିବ ପବିତ୍ର ବେହେରାଙ୍କ ଝିଅ ପ୍ଦ୍ମିନୀ ବେହେରାଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଥିଲା । ଘର ମାଲ୍ଲିକ ପଦ୍ମିନୀକୁ କଟକ ବଡମେଡିକାଲ ପରେ ଓଲଟରପୁର ହାଡଭଙ୍ଗା ଚିକିତ୍ସା କେନ୍ଦ୍ରକୁ ନେଇ ତାର ସମସ୍ତ ଚିକିତ୍ସା କରାଇଥିଲେ ।
ମାତ୍ର ଅଂଟା ଭାଙ୍ଗିଯାଇଥିବାରୁ ପଦ୍ମିନୀ ଦୀର୍ଘ ୧୦ ମାସ ହେଲା ଚାଲିବୁଲି ନପାରି ଖଟରେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ଏପରିକି ନିତ୍ୟକର୍ମ ମଧ୍ୟ କରିପାରୁନଥିବା ମାଆ ଶସ୍ମିତା କୁହନ୍ତି । ଏଭଳି ସ୍ଥିତିରେ ଗରିବ ଖଟିଖିଆ ବାପା, ମାଆ ପଦ୍ମିନୀକୁ ଚିକିତ୍ସା କରାଇବାକୁ ଚାହୁଁଥିଲେ ମଧ୍ୟ ହାତରେ ପଇସା ପତ୍ର ନଥିବାରୁ ତାଙ୍କର ଚିକିତ୍ସା କରାଇବା ସମ୍ଭବ ହେଉନାହିଁ । ଅନ୍ୟପଟେ ଅଂଟା ଘା’ ଶୁଖିବା ପାଇଁ ଡାକ୍ତର ଲେଖିଥିବା ମଲମ ଦାମ ୬ଶହ ଟଙ୍କା ପଡୁଥିବାରୁ ତାହା ମଧ୍ୟ ସେମାନେ ଯୋଗାଡ କରିପାରୁନାହାଁନ୍ତି । ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପବିତ୍ରଙ୍କ ପରିବାରରେ ତାଙ୍କ ପତ୍ନୀ ଶଶ୍ମିତା, ଦୁଇ ପୁଅ, ଦୁଇ ଝିଅକୁ ନେଇ ୬ ପ୍ରାଣୀ କୁଟୁମ୍ବ ରହିଛନ୍ତି । ମାତ୍ର ଏମାନେ ଚାଉଳ, ଭତ୍ତା, ଘର ଘଣ୍ଟିଏ ମଧ୍ୟ ପାଇନାହାନ୍ତି । ତୁରନ୍ତ ଜିଲ୍ଲାପାଳ ଏହି ପରିବାର ପ୍ରତି ଦୃଷ୍ଟି ଦେବା ସହ ପଦ୍ମିନୀଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି ।
