ବଣାଇ : ବଣାଇ ବନଖଣ୍ଡ ଅନ୍ତର୍ଗତ ସରସରା ବଲାଙ୍ଗ ସେକ୍ସନର ପଶ୍ଚିମ ଦଣ୍ଡପାଟ ସଂରକ୍ଷିତ ଜଙ୍ଗଲରେ ଗତକାଲି ଅପରାହ୍ନରେ ଦେଶୀ ବନ୍ଧୁକ ସହ ଜଣେ ଶିକାରୀ ଗିରଫ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ସବୁଦିନ ଭଳି ଗତକାଲି ମଧ୍ୟ ବଣାଇ ରେଞ୍ଜ ଅଧିକାରୀ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ବଲାଙ୍ଗ ଫରେଷ୍ଟର କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ବନରକ୍ଷୀ ବାବୁଲି ଚନ୍ଦ୍ର ପ୍ରଧାନ, ଜଗନ୍ନାଥ ବେହେରା, ହାତୀ ସ୍କ୍ୱାର୍ଡ କର୍ମଚାରୀ ଓ ଦେବଗଡ଼ ବନକର୍ମଚାରୀ ମିଳିତ ଭାବେ ଦଣ୍ଡପାଟ ସଂରକ୍ଷିତ ଜଙ୍ଗଲରେ ହାତୀଙ୍କ ଅବସ୍ଥିତି ସମ୍ପର୍କରେ ଜାଣିବା ନିମନ୍ତେ ମିଳିତ ଅନୁସନ୍ଧାନ କରୁଥିବା ସମୟରେ ଅପରାହ୍ନ ୩ଟା ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବନ୍ଧୁକ ଧରି ବନ୍ୟଜନ୍ତୁ ଶିକାର ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ଜଙ୍ଗଲ ସୁରକ୍ଷାକର୍ମୀମାନେ ଘେରାଉ କରି ଶିକାରୀକୁ କାବୁ କରି ତାଙ୍କ ନିକଟରୁ ବନ୍ଧୁକକୁ ଜବତ କରିଥିଲେ ।

ଶିକାରୀ ଜଣକ ସରସରା ବଲାଙ୍ଗ ଗ୍ରାମର ଦୀନବନ୍ଧୁ ସାହୁ ବୋଲି ଜଣାପଡିଛି । ପରେ ତାଙ୍କୁ ଗିରଫ କରି ବନ୍ଧୁକ ସହିତ ବଣାଇ ରେଞ୍ଜ ଅଫିସକୁ ଅଣାଯାଇ ଅଧିକ ତଦନ୍ତ ଜାରି ରଖିଥିବାବେଳେ, ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।
