ପୋତି ହୋଇଗଲାଣି ମହାନଦୀ : ଉଦ୍‌ବେଗଜନକ ଭାବେ ଜଳସ୍ତର ହ୍ରାସ, ଡଙ୍ଗା ବୁଲିବାକୁ ଜାଗା ନାହିଁ

କଣ୍ଟିଲୋ : ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ମଧ୍ୟରେ ଛନ୍ଦି ହୋଇପଡ଼ିଛି । ଅନ୍ୟ ପକ୍ଷରେ ମହାନଦୀର ସ୍ଥିତି ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି । ନଦୀ ଗର୍ଭ ଦିନକୁ ଦିନ ପୋତି ହେବା ସହ ବାଲିଚର ପାଲଟିଗଲାଣି । ଏଥିସହ ଜଳସ୍ତର ମଧ୍ୟ ଉଦ୍‌ବେଗଜନକ ଭାବେ ବର୍ଷକୁ ବର୍ଷ ହ୍ରାସ ପାଇଚାଲିଥିବାରୁ ବିଭିନ୍ନ ସ୍ଥାନରେ ନଦୀତଟବର୍ତ୍ତୀ ଅଞ୍ଚଳମାନଙ୍କରେ ଦେଖାଦେଇଛି ଗଭୀର ଜଳ ସଂକଟ । ଏହି ଜଳକୁ ଆଧାର କରି ଗଡ଼ିଉଠିଥିବା ଅନେକ କୃଷି ଭିତ୍ତିକ ଜଳସେଚନ ପ୍ରକଳ୍ପ ଗୁଡ଼ିକ ଅନେକ ଦିନରୁ ବନ୍ଦ ହୋଇଗଲାଣି ।

ଆହୁରିମଧ୍ୟ କୈବର୍ତ୍ତମାନଙ୍କ ଜୀବନ ରେଖା ପାଲଟିଥିବା ମହାନଦୀ ଯେଉଁଥିରୁ ସେମାନେ ମାଛମାରି ପ୍ରତିପୋଷିତ ହୋଇଥାନ୍ତି । ବର୍ତ୍ତମାନ ସମୟରେ ମହାନଦୀରେ ପାଣି ନଥିବାରୁ ସେମାନଙ୍କ ଜୀବନ, ଜିବିକା ଉପରେ ଗଭୀର ପ୍ରଭାବ ପଡ଼ୁଥିବାର ଦେଖାଦେଇଛି । ଯେଉଁସ୍ଥାନରେ ଦିନେ ନୀଳ ଜଳରାଶିର ଲହଡ଼ି ଭାଙ୍ଗୁଥିଲା । ସେଠି ଏବେ ବାଲିର ପାହାଡ଼ ଗଦା । ଏଭଳି ସ୍ଥିତି ହୋଇଛି ଯେ, ନଦୀ ତଟ ଅ‌ଳରେ ଯେଉଁ ସ୍ଥାନରେ ବର୍ଷ ତମାମ୍ ରହୁଥିଲା । ଏବେ ସେହି ସ୍ଥାନ ଶୁଖିଲା ପଡ଼ିବା ସହ ସ୍ନାନ, ଶୌଚ ପାଇଁ ବହୁଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଛି । ଏଭଳି ସ୍ଥିତି ଲାଗିରହିଥିଲେ ମଧ୍ୟ ମହାନଦୀ ଜଳ ବିବାଦ ସମସ୍ୟା ସମାଧାନ ପାଇଁ କେନ୍ଦ୍ରସରକାର ଆନ୍ତରିକତା ପ୍ରଦର୍ଶନ କରୁନାହାଁନ୍ତି । ଓଡ଼ିଶା–ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ ବିଚାର ପକ୍ରିୟାରେ ରହିଛି । ଏହା ଏକ ବିଳମ୍ବିତ ପକ୍ରୀୟା ହୋଇଥିବାବେଳେ, ମହାନଦୀର ବର୍ତ୍ତମାନ ସ୍ଥିତିର ଗମ୍ଭୀରତାକୁ ନଜରରେ ରଖି ସରକାର ତୁରନ୍ତ ଏଥିରେ ହସ୍ତକ୍ଷପ କରି ଜଳବିବାଦର ସମାଧାନ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *