ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସମ୍ଭାବ୍ୟ ବନାଗ୍ନିକୁ ଦେଖି ତାର ମୁକାବିଲା ନିମନ୍ତେ ଅଗ୍ନିଶମ ବାହିନୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବେ ଠୁ ପ୍ରସ୍ତୁତି ଚଳାଇଥିବା ବେଳେ ବନ ବିଭାଗ କିନ୍ତୁ ଏ ନେଇ ନିରବ ଥିବା ବିଭିନ୍ନ ମହଲରୁ ଅଭିଯୋଗ ହେଉଛି । ଯଦି ବନ ବିଭାଗ ସଜାଗ ନ ରହେ ତାହା ଶିମିଳିପାଳ ଅଭୟାରଣ୍ୟକୁ ଏଥର ବି ବନାଗ୍ନି ଛାରଖାର କରିଦେବ ବୋଲି ଆଲୋଚନା ହେଉଛି ।

ଗତବର୍ଷର ବନାଗ୍ନି ଭୟାବହତାକୁ ମୟୁରଭଞ୍ଜବାସୀ ପାଖରୁ ଦେଖିଛନ୍ତି । ପ୍ରାୟ ମାସେ କାଳ ଶିମିଳିପାଳ ଜଳିବା ଫଳରେ ହେକ୍ଟର ହେକ୍ଟର ଜଙ୍ଗଲ ପାଉଁଶ ହୋଇଗଲା । ଅସଂଖ୍ୟ ବନ୍ୟଜନ୍ତୁ ପ୍ରାଣ ହରାଇଲେ । ଏହି ଘଟଣା ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିଲା । ଶେଷରେ ପ୍ରକୃତିରାଣୀ ବର୍ଷାର ଆଗମନ ହେବାରୁ ନିଆଁ ଆୟତ୍ତ ହୋଇଥିଲା । ଆଉ ଏଥର ଗତବର୍ଷ ଭଳି ସ୍ଥିତି ଏଡ଼ାଇବାକୁ ଭଞ୍ଜସେନା ଅଣ୍ଟା ଭିଡ଼ିଛି । ସଂଗଠନର ଏକ ପ୍ରତିନିଧି ଦଳ ଆଜି ବିଭଗୀୟ ଅଧିକାରୀଙ୍କୁ ଭେଟି ଶିମିଳିପାଳ ଅଭୟାରଣର ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଆବଶ୍ୟକ ପଡ଼ିଲେ ଭଞ୍ଜସେନାର ଶତାଧିକ କର୍ମୀ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ ହେବ ବୋଲି ପ୍ରତିନିଧି ଦଳ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ବନ ବିଭାଗର ଭୁଲ୍ ପାଇଁ ଏଥର ବି ଜଙ୍ଗଲ ନିଆଁ ବ୍ୟାପିଲେ ଭଞ୍ଜସେନା ରାଜରାସ୍ତାକୁ ଓହ୍ଳାଇବାକୁ ବାଧ୍ୟ ହେବ ବୋଲି ସଭାପତି ପିଣ୍ଟୁ ମାଇତି କହିଛନ୍ତି । ଏହି ପ୍ରତିନିଧି ଦଳରେ ସଭାପତି ଶ୍ରୀ ମାଇତିଙ୍କ ସହ ରାକେଶ ବେହେରା, ସାମନ୍ତ ଶେଖର ପାଲ, ଜିତୁ ଶିବାନନ୍ଦ, ମାନସ ବେହେରା, ଜ୍ୟୋତିରଞ୍ଜନ ପୃଷ୍ଟି, ସୌମ୍ୟରଞ୍ଜନ ମିଶ୍ର, ଏସ୍କେ ରାଜାଖାନ, ପ୍ରୀତମ ପଣ୍ଡା, ବୀରେନ୍ଦ୍ର ନାଥ, ଧନଞ୍ଜୟ ସାହୁ ପ୍ରମୁଖ ସାମିଲ ଥିଲେ ।
ଏଥିସହ ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଶିମିଳିପାଳ ଅଭୟାଣ୍ୟର ସୁରକ୍ଷା ନିମନ୍ତେ ଟ୍ବିଟର୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ବୋଲି ସଭାପତି ଶ୍ରୀ ମାଇତି କହିଛନ୍ତି । ଜଙ୍ଗଲ ନିଆଁ ସମ୍ପର୍କରେ ବାରିପଦା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଏମ. ଯୋଗାଜୟାନନ୍ଦଙ୍କୁ ପଚାରିବାରେ ଗତବର୍ଷ ବନାଗ୍ନିରୁ ବହୁତ ଶିକ୍ଷା ପାଇଛୁ । ତେଣୁ ଏଥର ତାହାର ପୁନରାବୃତ୍ତି ନ ହେବ ସେଥିନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି ।
