ପଞ୍ଚାୟତ ଓ ବ୍ଲକ୍‌ କାର୍ଯ୍ୟାଳୟ ଧାଇଁଧାଇଁ ନୟାନ୍ତ : ୫ ବର୍ଷ ହେଲା ପାଣି ପାଇଁ ଡହଳ ବିକଳ ହେଉଛନ୍ତି ସୁନ୍ଦରତଇଳା ଗ୍ରାମବାସୀ

ଦଶପଲ୍ଲା : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ନଳକୂପକୁ ସଚଳ କରିବା ସହ ସମସ୍ତ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ଯେଉଁଥିରେ ବିଭାଗୀୟ ଅଧିକାରୀମାନେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହୁଛି । ହେଲେ ମାସେ ନୁହେଁ ବର୍ଷେ ନୁହେଁ, ପାନୀୟ ଜଳ ନେଇ ଦୀର୍ଘ ୫ ବର୍ଷ ହେଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ପୋଖରୀଗୋଛା ପଞ୍ଚାୟତ ସୁନ୍ଦରତଇଳା ଗ୍ରାମବାସୀ ଯେଉଁ ସମସ୍ୟା ଭୋଗୁଛନ୍ତି ତାହା ଆଖିରେ ନ ଦେଖିଲେ ବିଶ୍ବାସ କରି ହେବନାହିଁ ।

ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟ ସବୁଠାରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି ଦୃଷ୍ଟି ଦେଉନାହାନ୍ତି । ଫଳରେ ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳବିକଳ ହେଉଥିବା ଅଭିଯୋଗ ଆଣିଛନ୍ତି । ଗ୍ରାମରେ ନାରଣ ମାଝି, ଜଳେଶ୍ବର ଜାନୀ, ବିନୋଦ ପ୍ରଧାନ, ହରିବନ୍ଧୁ ଜାନୀ, ବିନୋଦ ଜାନୀ, ଲଖେଶ୍ବର ଜାନୀ ଭଳି ୨୬ଟି ଆଦିବାସୀ ସମୁଦାୟର ପ୍ରାୟ ୨ ଶହ ଜନସାଧାରଣ ବସବାସ କରି ଆସୁଛନ୍ତି । ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା ପାଇଁ ୨୦୧୩ ନଭେମ୍ବର ମାସରେ ଓସ୍ବା ଓ ପ୍ରାକ୍ଟିକାଲ୍ ଆକ୍ସନ ପକ୍ଷରୁ ୟୁରୋପିଆନ୍ ୟୁନିୟନ୍‌ର ଆର୍ଥିକ ସହାୟତାରେ ୩ ଲକ୍ଷ ୩୮ ହଜାର ୨ ଶହ ୧୫ ଟଙ୍କାରେ ଏକ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା । ଯାହାକୁ ନେଇ ୨-୩ ବର୍ଷ ଗ୍ରାମବାସୀ ଏହି ପ୍ରକଳ୍ପରୁ ସୁଫଳ ପାଇଥିଲେ । ମାତ୍ର ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ହେତୁ ଅଚଳ ହୋଇ ପଡ଼ିଛି । ଏହାର ମରାମତି ପାଇଁ କେହି ଗୁରୁତ୍ବ ଦେଉନଥିବା ବେଳେ ପ୍ରାୟ ୫ ବର୍ଷ ହେଲା ଏହି ପ୍ରକଳ୍ପଟି ଖତ ହେଉଛି ।

ସେହିଭଳି ଗ୍ରାମରେ ଗୋଟିଏ ମାତ୍ର ନଳକୂପ ରହିଥିବା ବେଳେ, ଏହା ମଧ୍ୟ ପ୍ରାୟ ୩ ବର୍ଷ ହେଲା ଅଚଳ ହୋଇ ପଡ଼ିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟରେ ବାରମ୍ବାର ପହଞ୍ଚି ଅଭିଯୋଗ କରୁଥିବା ବେଳେ, ସରପଞ୍ଚ କି କୌଣସି ଅଧିକାରୀ ଏଥିପ୍ରତି ଗୁରୁତ୍ବ ଦେଉନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଫଳରେ ଗ୍ରାମରେ ଥିବା ଏକମାତ୍ର ପଥରକୂପ ଉପରେ ଗ୍ରାମବାସୀଙ୍କୁ ଭରସା କରି ଚଳିବାକୁ ପଡ଼ୁଛି । ଖରାଦିନେ ଶୁଖିଲା ପଡ଼ୁଥିବା ହେତୁ ପ୍ରାୟ ୨ କିମି ପାଣି ପାଇଁ ଯିବାକୁ ପଡ଼ୁଛି ।

ଏପଟେ ଗ୍ରାମକୁ ପକ୍କା ସଡ଼କଟିଏ ମଧ୍ୟ ନିର୍ମାଣ ହୋଇପାରୁନି । ଦୀର୍ଘ ଦିନ ଧରି ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ, ଏହା ଅଧାଗଢ଼ା ହୋଇ ପଡ଼ିରହିଛି । ଗ୍ରାମରେ ଶିକ୍ଷାର କୌଣସି ବ୍ୟବସ୍ଥା ନଥିବା ବେଳେ ଜଙ୍ଗଲିଆ ରାସ୍ତାରେ ପ୍ରାୟ ୪ କିମି ପିଲିପାଜୁକୁ ଛାତ୍ରଛାତ୍ରୀମାନଙ୍କୁ ଯିବାକୁ ପଡ଼ୁଛି । ସେହିଭଳି ଭତ୍ତା କିମ୍ବା ରାସନ ପାଇଁ ୫ କିମି ବାଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି । ତେବେ ଗ୍ରାମକୁ ତୁରନ୍ତ ପକ୍କା ସଡ଼କ ନିର୍ମାଣ କରିବା ସହ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *