ଧର୍ମଶାଳା : ଜମିପଟ୍ଟା ଖାରଜ ଦାବିରେ ଧର୍ମଶାଳା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦୁବଗଡ଼ିଆ ଗ୍ରାମର ଭୀମସେନ ସାହୁ ସପରିବାର ଧାରଣା ଦେଇଛନ୍ତି । କପିଳେଶ୍ବରପୁର-୧ ମୌଜାରେ ସେ କିଣିଥିବା ଜମିକୁ ଅନ୍ୟ ଜଣେ ବେଆଇନ ଭାବେ ନିଜ ନାମରେ ପଟ୍ଟା କରିନେଇଛନ୍ତି । ଏହାକୁ ରଦ୍ଦ କରିବା ପାଇଁ ସେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଗୁରୁତ୍ବ ଦେଇନଥିଲେ । ବାଧ୍ୟହୋଇ ଆଜି ସେ ସପରିବାର ଧାରଣାରେ ବସିରହିଛନ୍ତି ।
ଅଭିଯୋଗରୁ ପ୍ରକାଶ ଯେ, ଧର୍ମଶାଳା ତହସିଲ ଅନ୍ତର୍ଗତ କପିଳେଶ୍ବର-୧ ମୌଜାର ଖାତା ନମ୍ବର-୭୦/୫ ଓ ପ୍ଲଟ୍ ନମ୍ବର-୧୦୫ରେ ଥିବା ବଡ଼ମଙ୍ଗଳପୁର ଗ୍ରାମର ଅନନ୍ତ ଶତପଥୀଙ୍କ ୯ ଡିସିମିଲ ଜମିକୁ ଶ୍ରୀ ସାହୁ ୧୯୯୭ ମସିହାରେ କିଣିଥିଲେ । ସେତେବେଳେ ଧର୍ମଶାଳା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି ରେଜେଷ୍ଟ୍ରି ହୋଇଥିଲା । ପରେ ସେ ଏହି ଜମିକୁ ତହସିଲରେ ଦାଖଲଖାରଜ କରି ଖଜଣା ଦେଉଥିଲେ । ଗତ ଜାନୁଆରି ମାସରେ ଶ୍ରୀ ସାହୁ ଜମିର ଖଜଣା ଦେବାକୁ ଆରଆଇ କାର୍ଯ୍ୟାଳୟକୁ ଯାଇଥିଲେ । ହେଲେ ଏହି ଜମି ଅଚ୍ୟୁତପୁର ଗ୍ରାମର ମାୟାଧର ଖଟୁଆ ଓ ସୁକୁଟି ଖଟୁଆଙ୍କ ନାମରେ ରେକର୍ଡ ହୋଇଥିବା ଜଣାପଡ଼ିଥିଲା ।
ଏନେଇ ସେ ଧର୍ମଶାଳା ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏସଂପର୍କରେ ତହସିଲଦାର କୌଣସି ପଦକ୍ଷେପ ନନେବାରୁ ସେ ପୁନର୍ବାର ମାର୍ଚ୍ଚ ୭ ତାରିଖରେ ଅଭିଯୋଗ କରିଥିଲେ । ବାରମ୍ବାର ତହସିଲଦାରଙ୍କ ନିକଟରେ ଅଭିଯୋଗ କରି ନିରାଶ ହେବାପରେ ଶ୍ରୀ ସାହୁ ସପରିବାର ଧାରଣା ଦେଇଛନ୍ତି । ଏନେଇ ସେ ଯାଜପୁର ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିଛନ୍ତି । ଯେ ପର୍ଯ୍ୟନ୍ତ ନିଜର ଜମି ଫେରସ୍ତ ନପାଇଛନ୍ତି ସେ ପର୍ଯ୍ୟନ୍ତ ଶ୍ରୀ ସାହୁ ଧାରଣାରେ ବସିରହିବେ ବୋଲି କହିଛନ୍ତି ।
