କରଦାଙ୍ଗି : ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅନ୍ତର୍ଗତ ଭୀମକାଣ୍ଡ ପଞ୍ଚାୟତ ସମାକୋଇ ସଂରକ୍ଷିତ ଜଙ୍ଗଲର ଗୋଧିହୁଡି ଓ କାଣ୍ଡପଶି ମଧ୍ୟରେ ଥିବା କୁକୁରଖାଇ ଜଙ୍ଗଲରେ ନିଆଁ ଲାଗିଛି । ଜଳିଯାଉଛି ଶାଳ, ପିଆଶାଳ, ଅସନ ଭଳି ବହୁ ମୂଲ୍ୟବାନ ଗଛ । ଜଙ୍ଗଲ ଜଳିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜଙ୍ଗଲରେ ଥିବା ବାର୍ହା, କୁଟୁରା, ଶମ୍ବର, ହରିଣ ଆଦି ବନ୍ୟଜନ୍ତୁ ବାସସ୍ଥାନ ହରାଇ ଗାଁ ମୁହାଁ ହେଉଛନ୍ତି । ୧୦ ଦିନ ହେବ ତେଲକୋଇ ରେଞ୍ଜର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଛି । ନିଆଁକୁ ଆୟତ୍ତ କରିବାରେ ବନ ବିଭାଗ ବିଫଳ ହୋଇଛି । ଜଙ୍ଗଲ ନିଆଁକୁ ଆୟତ୍ତ କରିବାପାଇଁ ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍ ଓ ବନସୁରକ୍ଷା ସମିତି ଥିଲେ କୌଣସି ସୁଫଳ ମିଳିପାରୁ ନାହିଁ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ଜଙ୍ଗଲରେ ବାରମ୍ବାର ନିଆଁ ଲାଗି ଗଛଲତା ପୋଡ଼ିଯାଉଛି । ବନ ବିଭାଗ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
