ତୁଷୁରା ଏନଏସି ଦଉନି ଇପିଏଫ ଟଙ୍କା : ୪ ଦିନ ହେଲା ଧାରଣାରେ ସଫେଇ କର୍ମଚାରୀ, ଗଦା ହୋଇଛି ଆଳିଆ

ଗୁଡଭେଲା : ପୌର ନିର୍ବାଚନ ପାଇଁ ତୁଷୁରା ସହର ଭିତରେ ନେତାଙ୍କ ଭିଡ଼ ଲାଗିରହିଛି । ନିଜ ଦଳୀୟ ସମର୍ଥକଙ୍କୁ ବିଜୟୀ କରାଇବା ପାଇଁ ମନ୍ତ୍ରୀ କରୁଛନ୍ତି ପ୍ରଚାର । ହେଲେ ସହରକୁ ସଫାସୁତୁରା ରଖୁଥିବା କର୍ମଚାରୀଙ୍କ ଇପିଏଫ ଟଙ୍କା ହଡ଼ପକୁ ନେଇ ମୁହଁ ଖୋଲୁନାହାନ୍ତି ରାଜନୈତିକ ଦଳ । ସଫେଇ କାର୍ଯ୍ୟକୁ ବନ୍ଦ କରି ୫ ଦିନ ହେଲା କର୍ମଚାରୀମାନେ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି । ଫଳରେ ସହର ଭିତରେ କୁଢ଼ କୁଢ଼ ଆବର୍ଜନା ଗଦା ହୋଇ ଦୁର୍ଗନ୍ଧରେ ଫାଟିପଡୁଛି । ତୁଷୁରା ଏନଏସିରେ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ୬୫ ଜଣ କର୍ମଚାରୀ । ଏହି କର୍ମଚାରୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପାରିଶ୍ରମିକ ଦେଉଥିଲେ ବି ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ଇପିଏଫ ଟଙ୍କା ହଡ଼ପ କରୁଛି ବୋଲି କର୍ମଚାରୀମାନେ ଅଭିଯୋଗ କରୁଛନ୍ତି । ପୂର୍ବରୁ ସଫେଇ କାମ ପାଇଁ ନିଯୁକ୍ତି ହୋଇଥିବା ଠିକା ସଂସ୍ଥା ୫ ବର୍ଷର ଇପିଏଫ ଟଙ୍କା ହଡ଼ପ କରିଛି । ଏବେ ପୁଣି ଏହି ଠିକା ସଂସ୍ଥା ୧୦ ମାସର ଟଙ୍କା ଦେଉଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଫଳରେ ଗତ ଶନିବାର ଦିନରୁ କର୍ମଚାରୀମାନେ ଏକତ୍ରିତ ହୋଇ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଛନ୍ତି । ହକ ପାଇଁ ପୂର୍ବରୁ ମଧ୍ୟ କର୍ମଚାରୀମାନେ ଆନ୍ଦୋଳନ କରି ଧାରଣା ଦେଇଥିଲେ । ହେଲେ ଆସନ୍ତା ୭ ଦିନ ମଧ୍ୟରେ ଦାବୀ ପୂରଣ ହେବ ବୋଲି ଏନଏସି କର୍ତ୍ତୃପକ୍ଷ କହିଥିଲେ କିନ୍ତୁ ଇପିଏଫ ଟଙ୍କାକୁ ନେଇ ଏନଏସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ପୁଣି ଥରେ ଧାରଣା ଦେଇଛନ୍ତି । ସୋମବାର ଦିନ ଆନ୍ଦୋଳନ ସ୍ଥଳ ଦେଇ ମନ୍ତ୍ରୀ ଟୁକୁନି ସାହୁ ପୌରନିର୍ବାଚନ ପ୍ରଚାର ପାଇଁ ଯାଇଥିଲେ ବି ଆନ୍ଦୋଳନରତ କର୍ମଚାରୀଙ୍କ ସହ କୌଣସି ଆଲୋଚନା କରି ନଥିବାରୁ ଲୋକଙ୍କ ମଧ୍ୟରେ ଭିନ୍ନ ଆଲୋଚନା ଲାଗିରହିଛି । ଭୋଟ ମାଗିବାକୁ ଆସୁଥିବା ମନ୍ତ୍ରୀ ଆମ ହକ ପାଇଁ ଏନଏସିକୁ ତାଗିଦ କେମିତି କରି ନାହାନ୍ତି ବୋଲି ସଫେଇ କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି । ଆଗମୀ ନିର୍ବାଚନରେ ଶାସକ ଦଳକୁ ଉଚିତ ଜବାବ ଦେବେ ସଫେଇ କର୍ମଚାରୀଙ୍କ ୨ ସହ ଭୋଟର ବୋଲି ଚର୍ଚ୍ଚା ଲାଗିରହିଛି ।

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଯୋଗୁଁ ଚାରିଦିନ ହେଲା ତୁଷୁରାର ପଡ଼ା ପଡ଼ାରେ ଅଳିଆ ଗଦା ହୋଇ ପଡିରହିଛି । ଏନେଇ ସଫେଇ କର୍ମଚାରୀ ସଂଘର ସଭାପତି ମନୋଜ ଜୈନଙ୍କୁ ପଚାରିବାରୁ ଇପିଏଫ ଟଙ୍କା ହଡ଼ପକୁ ନେଇ ଆନ୍ଦୋଳନ କରୁଛୁ ଏନଏସି କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି, ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀରହିବ ବୋଲି କହିଛନ୍ତି । ସେହିପରି ତୁଷୁରା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଲକ୍ଷଣ ମୁର୍ମୁଙ୍କୁ ପଚାରିବାରୁ ଆମ ପାଖରେ ୧୦ ମାସର ଇପିଏଫ୍‌ ଟଙ୍କା ଅଛି, କଟକର ଚନ୍ଦନ ଏଜେନ୍ସି ଚାରିମାସ ଷ୍ଟେଟମେଣ୍ଟ ଦେଉ ନଥିବାରୁ ୧୦ ମାସର ଟଙ୍କା ରହିଯାଇଛି ବୋଲି କହିଛନ୍ତି । ନିର୍ବାଚନ ସମୟରେ ସହରେ ଭିତରେ ଅଳିଆ ପଡିରହି ଦୁର୍ଗନ୍ଧ ଦେଖାଦେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଣୁ ଜିଲ୍ଲା ପ୍ରଶାସନ ଏଦିଗରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published. Required fields are marked *