ସିଡ୍ୟୁଲ୍‌ ବ୍ଲକ୍‌ ପ୍ରସ୍ତାବ କୁଆଡ଼େ ଗଲା ? ଉଭୟ କେନ୍ଦ୍ର, ରାଜ୍ୟ ସରକାର ଉଦାସୀନ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଓ କିର୍ମିରା ସହ ସମ୍ବଲପୁର ଜିଲ୍ଲାର ଯୁଯୁମୁରାକୁ ସିଡ୍ୟୁଲ ବ୍ଲକ୍‌ର ମାନ୍ୟତା ପ୍ରସ୍ତାବ ସରକାରଙ୍କ ନାଲିଫିତା ତଳେ ଚାପି ହୋଇ ରହିଛି । ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କେହି ବି ଆଗ୍ରହ ଦେଖାଉ ନାହାନ୍ତି । ବିଭିନ୍ନ ସମୟରେ ଏହି ପ୍ରସ୍ତାବକୁ ନେଇ ଉଭୟ ସରକାର ଆଦିବାସୀମାନଙ୍କୁ ଭ୍ରମିତ କରିଆସୁଛନ୍ତି । ଫଳରେ, ଅଦିବାସୀ ସମାଜ ନିରାଶ ହେବାସହିତ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।

ପ୍ରଥମେ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗନ୍ତ କିର୍ମିରା ବ୍ଲକ୍‌କୁ ଉଦାହରଣ ଭାବେ ନିଆଯାଉ । ଗତବର୍ଷ ବିଧାନସଭାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ସ୍ପଷ୍ଟ କରି କହିଥିଲେ ଯେ, କିର୍ମିରା ବ୍ଲକ୍‌କୁ ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା (ଆଇଟିଡିଏ) ମାନ୍ୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପତ୍ର ସଂଖ୍ୟା ୧୯୩୮୭/ଏସ୍‌ଏସ୍‌ଡି ତା ୬.୧୧.୨୦୧୭ ରେ କେନ୍ଦ୍ର ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରାଳୟଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର, ଏହି ପ୍ରସ୍ତାବ ଅନୁମୋଦନ ହୋଇନାହିଁ । ବ୍ରଜରାଜନଗର ବିଧାୟକ ସ୍ବର୍ଗତ କିଶୋର ମହାନ୍ତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ସାରକା ଆହୁରି ମଧ୍ୟ ସ୍ପଷ୍ଟ କରିଥିଲେ, ଝାରସୁଗୁଡ଼ା ଜିଲ୍ଲାର କୌଣସି ବ୍ଲକ୍‌କୁ ଆଇଟିଡିଏ ବ୍ଲକ୍‌ର ମାନ୍ୟତା ଦେବା ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା କେତେ, ମନ୍ତ୍ରୀଙ୍କ ଉତ୍ତରୁ ହିଁ ଜଣାପଡ଼ିଥିଲା । କିର୍ମିରା ସହିତ ଲଇକେରା ଓ ଯୁଯୁମରା ବ୍ଲକ୍‌ରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ହେବ । ଫଳରେ, ଏହି ୩ଟି ବ୍ଲକ୍‌କୁ ସିଡ୍ୟୁଲ୍‌ ମାନ୍ୟତା ଦେବାପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଥିଲା । ମାତ୍ର, ବିଭଗୀୟ ମନ୍ତ୍ରୀ କେବଳ କିର୍ମିରା ବ୍ଲକ୍‌ ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ । ଅପରପକ୍ଷେ, ଲଇକେରା ଓ ଯୁଯୁମୁରା ବ୍ଲକ୍‌ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇନଥିବା ସ୍ପଷ୍ଟ ହୋଇଥିଲା । ଏଥିରେ ରାଜ୍ୟ ସରକାରଙ୍କ ଆନ୍ତରିକତା ବେଶ୍‌ ଅନୁମେୟ । ସେହିଭଳି, କେନ୍ଦ୍ର ସରକାର ମଧ୍ୟ ଏହି ପ୍ରସଙ୍ଗକୁ ଆଦୌ ଗୁରୁତ୍ବ ଦେଇନାହାନ୍ତି । କେବଳ କିର୍ମିରା ହେଉପଛକେ ୨୦୧୭ ମସିହାରେ ରାଜ୍ୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ଏହା ଉପରେ ଏଯାବତ୍‌ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତାରେ ଆଦିବାସୀମାନେ ଉ‌ଦ୍‌ବେଗ ପ୍ରକାଶ କରିଛନ୍ତି । ଆଦିବାସୀ ସଂଗଠନ ପକ୍ଷରୁ କୁହାଯାଇଛି, ‘କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ସମୟ ଧରି ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରେ ମନ୍ତ୍ରୀ ଥିବା ଜୁଏଲ ଓରାମ ମଧ୍ୟ ଏହି ତିନୋଟି ବ୍ଲକ୍‌କୁ ସିଡ୍ୟୁଲ ବ୍ଲକ୍‌ ଘୋଷଣା କରିବାରେ ସହଯୋଗ କରିନାହାନ୍ତି । ସେହିଭଳି, ରାଷ୍ଟ୍ରୀୟ ଜନଜାତି ଆୟୋଗ ଅଧ୍ୟକ୍ଷମାନେ ମଧ୍ୟ ବିଭିନ୍ନ ସମୟରେ ଏହି ତିନୋଟି ବ୍ଲକ୍‌କୁ ସିଡ଼୍ୟୁଲ ବ୍ଳକର ମାନ୍ୟତା ପ୍ରସ୍ତାବର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କିଛି କରିପାରି ନାହାନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସିଡ୍ୟୁଲ୍‌ ମାନ୍ୟତା ପାଇଲେ ସେହି ବ୍ଲକ୍‌ରେ ବସବାସ କରୁଥିବା ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିଥାଏ । ଛ‌ାତ୍ରଛାତ୍ରୀଙ୍କୁ ପାଇଁ ଷ୍ଟାଇପେଣ୍ଡ ସୁବିଧା ସହିତ ମନରେଗା ଭଳି ଯୋଜନାରେ ସେମାନଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ମାତ୍ର, ସରକାରଙ୍କ ଏଭଳି ଅଭୂତପୂର୍ବ ନିରବତା ଆଦିବାସୀମାନଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *