ବ୍ରହ୍ମବରଦା : ଶୈଶବ ଅବହେଳିତ । ଦାରିଦ୍ର୍ୟର ତାଡ଼ନାରେ ଶିଶୁ ଅଧିକାର ଅପହୃତ । କେଉଁଠି କ୍ଷେତରେ ଲୋଟୁଛି ତ ପୁଣି କେଉଁଠି ଚାଳିଆରେ । ପାଠପଢ଼ା ବା ଶିକ୍ଷା ଅଧିକାର ଆଇନଠାରୁ ବହୁ ଦୂରରେ ଶହଶହ ଶିଶୁ ରହିଯାଇଥିବା ଦେଖିବାକୁ ମିଳୁଛି । ବରୁଆଁ-ବାଲିଚନ୍ଦ୍ରପୁର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ବରେ ଝୁମ୍ପୁଡ଼ି ଚାଳଛପର ଘରେ ଏଭଳି ଶତାଧିକ ଶିଶୁଙ୍କ ଜୀବନ ବିତୁଛି । ସେମାନଙ୍କ ପାଇଁ ନା ଉତ୍ତମ ଘର ବ୍ୟବସ୍ଥା ରହିଛି, ନା ରହିଛି ଶିକ୍ଷା ଓ ସ୍ବାସ୍ଥ୍ୟର ସୁରକ୍ଷା । ଏଥିମଧ୍ୟରୁ ବହୁ ଶିଶୁ ଶ୍ରମିକ ଭାବରେ ଆଖୁ କ୍ଷେତରେ ନିୟୋଜିତ ହୋଇଥିବାର ଦେଖିବାକୁ ମିଳିଛି ।
ଗତ କିଛିବର୍ଷ ହେବ ଏହି ଅଞ୍ଚଳରେ ବ୍ୟାପକ ଭାବରେ ଆଖୁଚାଷ କରାଯାଉଛି । ଏକର ଏକର ଜମିରେ ଆଖିପାଉନଥିବା ବିସ୍ତୀର୍ଣ୍ଣ ଇଲାକାରେ ଆଖୁଚାଷ ହେଉଛି । ଏଥିପାଇଁ ବହୁ ଶ୍ରମଶକ୍ତିର ଆବଶ୍ୟକତା ରହିଛି । ବିଶେଷତଃ ଜମି ପ୍ରସ୍ତୁତ ହେବା ପରେ ଆଖୁ ଚାରା ରୋପଣ କରିବାଠାରୁ ଗଛ ବଢ଼ିବା ପର୍ଯ୍ୟନ୍ତ ବହୁ ଶ୍ରମିକ ଏଥିରେ ନିୟୋଜିତ ହେଉଛନ୍ତି । ଏଥିପାଇଁ ଚାଷୀମାନେ ବିଭିନ୍ନ ଅଞ୍ଚଳରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି । କାମ ଅନ୍ବେଷଣରେ ମଧ୍ୟ ପରିବାର ସହ ବହୁ ଲୋକ ଆସି ପହଞ୍ଚୁଛନ୍ତି । ସେମାନେ ପୂରା ପରିବାର ଛୁଆପିଲା ସହ ଆସିଯାଉଥିବାରୁ ଝୁମ୍ପୁଡ଼ି ଅସ୍ଥାୟୀ ଚାଳମାରି ଆଶ୍ରୟ ନେଉଛନ୍ତି । ସକାଳ ହେଲେ କ୍ଷେତରେ ଯାଇ ଖଟୁଛନ୍ତି । ସାମାନ୍ୟ ବଡ଼ ପିଲାମାନେ ମଧ୍ୟ କ୍ଷେତରେ ବାପାମା’ଙ୍କ ସହ କାମ କରୁଛନ୍ତି । ଛୋଟଛୋଟ ପିଲାମାନେ ଦିନସାରା କ୍ଷେତରୁ କୁଡ଼ିଆଯାଏ ଘୂରିବୁଲୁଛନ୍ତି । ସେମାନଙ୍କ ମୂଲ୍ୟବାନ ଶୈଶବ କଟିଯାଉଛି କିନ୍ତୁ ପାଠପଢ଼ା ଆରମ୍ଭ ହୋଇପାରୁନାହିଁ ।
ଯଦିଓ ଶିକ୍ଷା ଅଧିକାର ଆଇନକୁ ମୌଳିକ ଅଧିକାର ପରିସରଭୁକ୍ତ କରାଯାଇଛି ତଥାପି ୬ ରୁ ୧୪ ବର୍ଷ ପର୍ଯ୍ୟନ୍ତ ଶିଶୁମାନେ ଏଥିରେ ସାମିଲ ହୋଇପାରୁ ନଥିବା ଦେଖିବାକୁ ମିଳିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଅଧିକାର ନିୟମ ଓ ଯୋଜନା ଫେଲ୍ ମାରିବା ସହ ଶିଶୁଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି । ଏଭଳି ରାସ୍ତା କଡ଼ରେ ଆଶ୍ରିତ ଶିଶୁଙ୍କ ସର୍ବେକ୍ଷଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ମନ୍ତ୍ରଣାଳୟ ନିର୍ଦେଶ ଦେଇଥିଲେ ମଧ୍ୟ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଏକ ପ୍ରଶ୍ନବାଚୀ । ଯଦି ଠିକ ଭାବେ ଏସବୁ ଆଇନ କାର୍ଯ୍ୟକାରୀ ହେଉଥାନ୍ତା ତେବେ ଏଭଳି ଅବହେଳିତ ଅସ୍ବାସ୍ଥ୍ୟକର ଅବସ୍ଥାରେ ଶିଶୁମାନେ ପଡ଼ିରହନ୍ତେ ନାହିଁ । ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।
