ବୋରିଗୁମ୍ମା : ସଭିଏଁ କହନ୍ତି କୁନିପିଲାଙ୍କ ଦେହରେ ରହିଛନ୍ତି, ସ୍ଵୟଂ ଭଗବାନ । ଏଇ ଯେମିତି କୋରାପୁଟ ବରିଗୁମ୍ମା ବ୍ଲକ ଚରାମୂଳ ଗାଁର ୭ ମାସର ଜଗନ୍ନାଥ । ବାପା ରତନ ବିନ୍ଧାଣୀ ଓ ମା ଡ଼ମାଇ ବିନ୍ଧାଣୀଙ୍କ କୋଳରେ ହାତଗୋଡ଼ ନଥିବା ଅଧାଗଢା କାଳିଆର କୁଆଁ କୁଆଁ ଶବ୍ଦ ସମସ୍ତଙ୍କ ମନକୁ ବେଶ ଆନ୍ଦୋଳିତ କରୁଛି । କାଳିଆ ସିନା ଦାରୁ ବୋଲି ରତ୍ନ ସିଂହାସନରେ ବସିପଡିଛି, ହେଲେ ଏ କାଳିଆ ପାଇଁ ବଞ୍ଚିବାକୁ ହେଲେ ଦରକାର ରହିଛି, କୁତ୍ରିମ ହାତଗୋଡ଼ । ସେଥିପାଇଁ ଜଗନ୍ନାଥର ପୂର୍ଣ୍ଣାଙ୍ଗ ଜୀବନ ପାଇଁ ମାଆ ଆଜି ପ୍ରଶାସନଠୁ ସରକାର, ସବୁଠି ପଣତ ପତେଇ ସାହାଯ୍ୟ ମାଗିଚାଲିଛି ।
ହଁ ସେ ପ୍ରଭୁ ଜଗନ୍ନାଥ ନୁହନ୍ତି ସତ । କିନ୍ତୁ ଦେଖିବାକୁ ପୂରା ଅବିକଳ ଜଗନ୍ନାଥଙ୍କ ପରି । ସେ କାଳିଆର, ହାତ ନାହିଁ କି ଗୋଡ ନାହିଁ, ଏ ଜଗନ୍ନାଥର ବି ନା ହାତ ଅଛି, ନା ଗୋଡ଼ ଅଛି । ସେ ମୂରତି ଦେଖିବା ପାଇଁ କାହୁଁ କେଉଁ ଦୁନିଆରୁ ତା ଭକ୍ତ ଛୁଟି ଆସନ୍ତି, ଆଉ ଏ ଜଗନ୍ନାଥର ଦୁଃଖ ଶୁଣିବାକୁ ସରକାରୀ ଅଫିସର ବାରଦୁଆର ହେଉଛନ୍ତି ବାପା-ମା । ସେ କାଳିଆର ଦର୍ଶନ ପରେ ସଵୁ ଭକ୍ତଙ୍କ ଦୁଃଖ ଦୂର ହୋଇଥାଏ, କିନ୍ତୁ ଏ ଜଗନ୍ନାଥ ଆସିବା ପରେ ପରିବାରରେ ଖେଳିଯାଇଛି ଦୁଃଖର କଳା ବାଦାଲ ।
ତାରିଖ – ୨୦୨୧ ମେ’ ୨୭ । କୁମୁଲି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ଡମାଇଙ୍କ ଗର୍ଭରୁ ଜନ୍ମ ନେଇଥିଲା ଜଗନ୍ନାଥ । ଜନ୍ମ ସମୟରେ ହିଁ ଜଗନ୍ନାଥର ହାତଗୋଡ଼ ନଥିବାରୁ ଡାକ୍ତର ତୁରନ୍ତ ତାକୁ କୋରାପୁଟ ମେଡିକାଲ କଲେଜ ସ୍ଥାନାନ୍ତର କରିଥିଲେ । କୋରାପୁଟ ମେଡିକାଲ କଲେଜରେ ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ନିରବଚ୍ଛିନ୍ନ ଚିକିତ୍ସା ପରେ ଜଗନ୍ନାଥ ହାତଗୋଡ଼ ନଥିଲେ ମଧ୍ୟ ସ୍ବାଭାବିକ ଶିଶୁ ଭଳି ସୁସ୍ଥହୋଇ ଫେରିଥିଲା । କିନ୍ତୁ ପରିବାରରୁ ଯାଇନଥିଲା ଦୁଃଖ । ରତନ କମାର କାର୍ଯ୍ୟ କରିଥିବା ବେଳେ ସ୍ତ୍ରୀ ମୂଲ ଲାଗିଲେ ଚଳେ ୬ ପରିବାର କୁଟୁମ୍ଵ । ସ୍ଵାମୀ ସ୍ତ୍ରୀ ଯାହା ରୋଜଗାର କରନ୍ତି, ସେଥିରେ ପରିବାର ଚଳିବା ତ ଦୂରର କଥା ବଡ଼ ପୁଅର ପାଠ ପଢାଇବା ବି କଷ୍ଟ । ଏହି ସମୟରେ ସାନ ପୁଅର ଚିକିତ୍ସା ବା କେମିତି କରିବେ । ନିଜ ପାଖେ ଟଙ୍କା ନଥିବାରୁ ଠିକ ସମୟରେ ଅଲଟ୍ରାସାଉଣ୍ଡ କରିପାରିନଥିଲେ, ଯାହା ଦ୍ଵାରା ପୁଅର ଶରୀର ଗଠନ ବିଷୟରେ ଜାଣିପାରି ନଥିବା ରତନ କହିଛନ୍ତି । ପୂର୍ବରୁ ଜଗନ୍ନାଥର ମଳଦ୍ଵାର ବି ବନ୍ଦ ରହିଥିଲା ଯାହାକୁ ନେଇ କୋରାପୁଟ ଜିଲ୍ଲା ମେଡିକାଲରେ ଭର୍ତି କରାଯାଇଥିଲା ଏବଂ ଚିକିତ୍ସା କରାଯାଇଥିଲା । ବର୍ତ୍ତମାନ ପୁଅର ହାତ ଓ ଗୋଡ ପ୍ଲାଷ୍ଟିକ ସର୍ଜରି କରିବା ପାଇଁ ବାପା ରତନ ଓ ମା ଡ଼ମାଇଙ୍କ ଇଚ୍ଛା ରହିଛି, କିନ୍ତୁ ହାତରେ ସମ୍ଭଳର ଅଭାବ । ଏଥିପାଇଁ ସେ ଜିଲା ପ୍ରଶାସନ ଓ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ।
ତେବେ ପୁଅର ଚିକିତ୍ସା କିମ୍ବା କୃତ୍ରିମ ଅଙ୍ଗ ରୋପଣ କରିବାକୁ ହେଲେ ବଡ ମେଡିକାଲକୁ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଥିଲେ । ଅନ୍ୟପଟେ କୋରାପୁଟ ଜିଲ୍ଲାପାଳ ୭ ମାସର ଦିବ୍ୟାଙ୍ଗ ଶିଶୁକୁ ଦେଖି ରେଡ୍କ୍ରସ୍ ପାଣ୍ଠିରୁ କିଛି ଆର୍ଥିକ ସହାୟତା ଯୋଗଦେବା ନେଇ ପ୍ରତିଶୃତି ଦେଇଛନ୍ତି । ପୁତ୍ରର ପ୍ଲାଷ୍ଟି ସର୍ଜରି ପାଇଁ ଲକ୍ଷଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ରତନଙ୍କ ପରିବାରଙ୍କୁ ସରକାରୀ ସହାୟତା ସାଙ୍ଗକୁ କିଛି ବଦ୍ୟାନ ବ୍ୟକ୍ତିଙ୍କ ସହଯୋଗ ନେଇ ନିବେଦନ କରିଛନ୍ତି ଗ୍ରାମବାସୀ ।
