କଳାବାଡ଼ିଆ : ବାଙ୍ଗିରିପୋଷି ସାମ୍ବାଦିକ ମାଡ଼ ଘଟଣା ତେଜିବାରେ ଲାଗିଛି । ପୁଲିସ ୩ ଜଣ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଗିରଫ କରିଥିବାବେଳେ, ଅନ୍ୟ ୨ ଜଣଙ୍କୁ ଏବେ ବି ଧରି ପାରିନି । ଏହାର ପ୍ରତିବାଦରେ ଆଜି ସାମ୍ବାଦିକମାନେ ବାଙ୍ଗିରିପୋଷି ଥାନା ସମ୍ମୁଖରେ ଧାରଣା ଦେବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ନ କଲେ ଏସ୍ପି ଅଫିସ୍ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।
ବାଙ୍ଗିରିପୋଷି ପଞ୍ଚାୟତରେ ମିଲନି ମଲ୍ଲିକ ଓ ବବିତା ସିଂ ନାଏବ ସରପଞ୍ଚ ପ୍ରାର୍ଥୀ ହୋଇଥିଲେ । ୧୬ ଜଣ ଵାର୍ଡ ସଭ୍ୟ ନିର୍ବାଚନରେ ଭାଗ ନେବା ପାଇଁ ବାଙ୍ଗିରିପୋଷି ବଜାରରେ ପହଞ୍ଚିଥିଲେ । ତେବେ ୫ ଜଣ ଵାର୍ଡ ସଭ୍ୟଙ୍କୁ ଦୀର୍ଘ ସମୟ ଧରି ଖରାରେ ବବିତା ସିଂ’ଙ୍କ ସମର୍ଥକମାନେ ଅଟକ ରଖି ଭୋଟ୍ଦାନ ସ୍ଥଳକୁ ଯିବା ପାଇଁ ଦେଉନଥିଲେ। ଫଳରେ ବବିତା ସିଂ ଙ୍କ ସମର୍ଥକ ଓ ମିଲନି ମଲ୍ଲିକଙ୍କ ସମର୍ଥକଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ଧସ୍ତାଧସ୍ତି ହୋଇଥିଲା ।
ଖବର ସଂଗ୍ରହ ପାଇଁ ଯାଇଥିବା ସ୍ଥାନୀୟ ସାମ୍ବାଦିକ ପ୍ରଶାନ୍ତ କୁମାର ଦାସ ପଟ୍ଟନାୟକଙ୍କୁ ହଠାତ୍ ବବିତା ସିଂ ଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଏନେଇ ବାଙ୍ଗିରିପୋଷି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପୁଲିସ ମଣଦା ଗ୍ରାମର ନାଢୁ ସିଂ (୩୫)ଙ୍କୁ ଧରି କୋର୍ଟ ଚାଲାଣ କରିଛି । ତେବେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଧରିପାରି ନ ଥିବାରୁ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାଜ୍ୟ ଉପସଭାପତିଙ୍କ ସହ ଜିଲ୍ଲା ସାମ୍ବାଦିକ ସଂଘର ୩୦ ଜଣ ସାମ୍ବାଦିକ ଆଜି ବାଙ୍ଗିରିପୋଷି ଥାନା ସମ୍ମୁଖରେ ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ ଧାରଣାରେ ବସିଥିଲେ । ଏହି ଅବସରରେ ଏକ ସ୍ମାରକପତ୍ର ମାଜିଷ୍ଟ୍ରେଟ୍ ତଥା ତହସିଲଦାର ସତ୍ୟବାନ ନାୟକଙ୍କ ଉପସ୍ଥିତିରେ ଏସ୍ପିଙ୍କ ଉଦ୍ଦେଶ୍ୟରେ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କୁ ଦିଆଯାଇଥିଲା ।
ତିନିଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନ କଲେ ଏସ୍ପି ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ଉପସଭାପତି ସୌରଭ କୁମାର ପଟ୍ଟନାୟକ ଏବଂ ମୟୂରଭଞ୍ଜ ସାମ୍ବାଦିକ ସଂଘର ସଭାପତି ଅରୁଣ ଓତା କହିଛନ୍ତି । ଆଜିର ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ମୟୂରଭଞ୍ଜ ସାମ୍ବାଦିକ ସଂଘର ଜିଲ୍ଲା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଅଗ୍ରୱାଲ, ଜିଲ୍ଲା କୋଷାଧ୍ୟକ୍ଷ ପ୍ରଭାତ କୁମାର ହୋତା, ନିହାର ରଞ୍ଜନ ବେହେରା, ସୁଜିତ କୁମାର ପଟ୍ଟନାୟକ, ଦିଲ୍ଲୀପ କୁମାର ଜେନା, କୈଳାସ ଚନ୍ଦ୍ର କର, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ଗୋପୀନାଥ ବେହେରା, ପି ପାଲ, ଜଗନ୍ନାଥ ସେଠୀ, ସରୋଜ କୁମାର ନାଏକ, ସଞ୍ଜିତ କୁମାର ମାହାନ୍ତି, ପ୍ରଦୀପ୍ତ ହୋତା, ଅସିତ କୁମାର ଷଡ଼ଙ୍ଗୀ, କ୍ଷୀରୋଦ ଚନ୍ଦ୍ର ଦାସ, ସତ୍ୟପ୍ରକାଶ ମହାନ୍ତି, ରାଜକିଶୋର ବାରିକ, ଆଲୋକ କୁମାର ସ୍ବାଇଁ, ପ୍ରୀତୀଶ କୁମାର ମାହାନ୍ତ, ତପନ କୁମାର ଦଣ୍ଡପାଟ, ସ୍ମୃତିଶୋଭନ ପାଲ ପ୍ରମୁଖ ସାମ୍ବାଦିକ ସାମିଲ ଥିଲେ ।
