ଆନନ୍ଦପୁର : ନାବାଳିକାକୁ ଅପହରଣ ଅଭିଯୋଗ । ଝିଅକୁ ଫେରାଇ ଆଣିବା ପାଇଁ ପୋଲିସ ମାଗିଲା ୫ ହଜାର ଟଙ୍କା ଏବଂ ୨ କେଜି ମାଛ । ନାବାଳିକାଙ୍କ ପରିବାର ଲୋକେ ଏପରି ଅଭିଯୋଗ ଆଣିଛନ୍ତି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କାଠକଟା ପଞ୍ଚାୟତରେ ଆସିଛି ଏପରି ଘଟଣା ।
ଖବର ଅନୁଯାୟୀ, କାଠକଟା ପଞ୍ଚାୟତ ପୁରୁଣା ଘାଟି ଅଞ୍ଚଳରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଗତ ୫ ତାରିଖରେ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁଯାୟୀ ପୁରୁଣା ଘାଟି ଗାଁର ରାଜୁ ପାତ୍ର ସଂପୃକ୍ତ ନାବାଳିକାକୁ ଅପହରଣ କରି ନେଇଥିଲେ । ଅଭିଯୋଗ ପାଇ ପୋଲିସ ପୁରୁଣା ଘାଟି ଗାଁରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା ।

ପରବର୍ତ୍ତୀ ସମୟରେ ଥାନାର ଏସଆଇ ମଲ୍ଲିକ ବାବୁ ନାବାଳିକାଙ୍କ ପରିବାର ଲୋକଙ୍କୁ ୫ ହଜାର ଟଙ୍କା ଦେଲେ ୨ ଦିନ ମଧ୍ୟରେ ପୁଅ ଝିଅଙ୍କୁ ଫେରାଇ ଆଣିବା ପାଇଁ କହିଥିବାର ଅଭିଯୋଗ ଆସିଛି । ଏପିରିକି ସୋମବାର ଦିନ ମଲ୍ଲିକ ବାବୁ ୨ କେଜି ମାଛ ନେଇଥିବା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଝିଅକୁ ଉଦ୍ଧାର କରାଯାଇଛି ଏବଂ ମାଛ- ଟଙ୍କା କଥା ସମ୍ପୁର୍ଣ୍ଣ ଭିତ୍ତିହୀନ ବୋଲି ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆ କହିଛନ୍ତି ।
