ମଦନପୁରରୁ କଣ୍ଟେନର ଜବତ, ଦୁର୍ବୃତଙ୍କ ପତ୍ତା ମିଳିନି

ଖଣ୍ଡଗିରି : ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ଡୋ ଛକରୁ ଶନିବାର ରାତିରେ ଅପହରଣ ହୋଇଥିବା ଏକ ମାଂସ ବୋଝେଇ କଣ୍ଟେନରକୁ ରବିବାର ଇନ୍‌ଫୋଭ୍ୟାଲି ଥାନା ପୁଲିସ ଉଦ୍ଧାର କରିଛି । ଏହି ଥାନା ଅଧୀନ ମଦନପୁର ନିକଟରୁ ଗାଡ଼ିକୁ ପୁଲିସ ଜବତ କରିଛି । ଏକ ସଂଗଠନ ନାଁରେ କିଛି ଦୁର୍ବୃତ୍ତ ଉକ୍ତ ଗାଡ଼ି ଚାଳକଙ୍କୁ ଆକ୍ରମଣ କରି ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି । ପୁଲିସ ଗାଡ଼ି ମାଲିକଙ୍କ ସହ ଯୋଗାଯୋଗ କରି ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ ରବିବାର ସକାଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ନିକଟ କାଇମାଟିଆ ଗାଁ ରାସ୍ତାରେ ଏକ ଶୀତତାପ ନିୟନ୍ତ୍ରିତ କଣ୍ଟେନର ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଗାଡ଼ି ନିକଟରେ କିଛି ପ୍ୟାକେଟ୍‌ ପଡ଼ିଥିଲା । ଗନ୍ଧରୁ ଏହି ପ୍ୟାକେଟ୍‌ରେ କୌଣସି ମାଂସ ଥିବା ଅନୁମାନ କରାଯାଇଥିଲା । ଖବରପାଇ, ଇନ୍‌ଫୋଭ୍ୟାଲି ଥାନା ଓ ଯାଆଁଳା ଫାଣ୍ଡି ପୁଲିସ ସେଠାରେ ପହଞ୍ଚିଥିଲେ । ଗାଡ଼ିରୁ ମାଲିକଙ୍କ ନମ୍ବର ପାଇ ପୁଲିସ ତାଙ୍କ ସହ ଯୋଗାଯୋଗ କରିବା ପରେ ଗାଡ଼ିକୁ ରାଜପଥରୁ ଅପହରଣ କରାଯାଇଥିବା ଜଣାପଡ଼ିଥିଲା । ପୁଲିସକୁ ଗାଡ଼ି ମାଲିକ ଦେଇଥିବା ସୂଚନା ଅନୁସାରେ ଉକ୍ତ କଣ୍ଟେନର କଲିକାତାରୁ ଚେନ୍ନଇ ଯାଉଥିଲା । ସେଥିରେ ବୋନ୍‌ ଲେସ ଫ୍ରଜେନ ମଟନ୍ ଚାଲାଣ ହେଉଥିଲା । ଗାଡ଼ିରେ ପ୍ରାୟ ୨୦ ଟନ୍‌ ମାଂସ ଥିଲା । ଚାଲାଣ ନିୟମ ଅନୁସାରେ ହୋଇଛି ଓ ଗାଡ଼ିରେ ସମସ୍ତ ରେକର୍ଡ ରହିଛି । ଗତକାଲି ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଡ୍ରାଇଭରକୁ ମାଡ଼ ମାରି ଗାଡ଼ିକୁ ରାଜପଥରୁ ଅପହରଣ କରିନେଇଥିଲେ । ଡ୍ରାଇଭର କୌଶଳ କ୍ରମେ ସେଠାରୁ ଖସି ପଳାଇଛି ବୋଲି ସେ ପୁଲିସକୁ କହିଥିଲେ । ମାଲିକଙ୍କ କହିବା ଅନୁସାରେ ପୁଲିସ ଗାଡ଼ିରୁ କାଗଜପତ୍ର ବାହାର କରି ଯାଞ୍ଚ କରିଥିଲା । ଚାଲାଣ ସଂକ୍ରାନ୍ତ ସବୁ ରେକର୍ଡ ଠିକ୍‌ ଥିବା ପୁଲିସ ସୂଚନା ଦେଇଛି । ତେବେ ମାଂସ ସମ୍ପର୍କରେ ଜାଣିବା ପାଇଁ ପୁଲିସ ଫରେନ୍ସିକ ଲାବ୍‌କୁ ପଠାଇଥିବା ସୂଚନା ଦେଇଛି । ମାଲିକଙ୍କ ଅଭିଯୋଗ ଅନୁସାରେ ଗାଡ଼ି ଅପହରଣ ମାମଲା ରୁଜୁ ହେବ ଓ ଦୁର୍ବୃତ୍ତଙ୍କୁ ଗିରଫ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *