ବଣାଇ : ବଣାଇ ଉପଖଣ୍ଡର ଚାରୋଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ନିର୍ବାଚନ ସମସ୍ତ ଆଶା ଓ ଆଶଙ୍କାର ଅବସାନ ଘଟାଇ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି । ପୂର୍ବବତ ସମସ୍ତେ ନିଜ ନିଜ ଦଳର ସମ୍ମାନକୁ ବଜାୟ ରଖିବାରେ ସମର୍ଥ ହୋଇଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ବଣାଇର ବିଧାୟକ ଥିବା ସିପିଆଇ ଏମର ଲକ୍ଷ୍ମଣ ମୁଣ୍ଡା ପୂର୍ବଥର ଭଳି ଏଥର ମଧ୍ୟ ଉପଖଣ୍ଡର ତିନୋଟି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାରେ ସମର୍ଥ ହୋଇଥିବାବେଳେ, ତାଙ୍କ ଦଳ ତରଫରୁ ଗୁରୁଣ୍ଡିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ଭାବେ ଜାର୍ଜିନିଆ ବୁଡ଼, ଲହୁଣୀପଡା ବ୍ଲକ ଅଧ୍ୟକ୍ଷ ଭାବେ ଶୁକମତି ମୁଣ୍ଡା, କୋଇଡା ବ୍ଲକ ଅଧ୍ୟକ୍ଷ ଭାବେ ସୁରେଶ ନାଏକ ଆସନ ଅଳଙ୍କୃତ କରିଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏସବୁ ବ୍ଲକର ଅଧ୍ୟକ୍ଷ ପଦ ସିପିଆଇ ଏମ ହାତେଇ ଥିବାବେଳେ, ବଣାଇ ସଦର ମହକୁମାର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପୂର୍ବତନ ବିଜେଡି ଦଳ ତୃତୀୟ ଥର ପାଇଁ ନିଜ କବଜାକୁ ନେଇଛି । ଦଳ ପକ୍ଷରୁ ମଞ୍ଜୁଲତା କିସାନ ତୃତୀୟ ଥର ନିମନ୍ତେ ଅଧ୍ୟକ୍ଷ ପଦ ପାଇଁ ହାଟ୍ରିକ ମାରିବାରେ ସକ୍ଷମ ହୋଇଛନ୍ତି । ଫଳରେ ସିପିଆଇ ଏମ ଏବଂ ବିଜେଡି ଦଳ ନିଜ ନିଜର ଅଧ୍ୟକ୍ଷ ପଦ ବଜାୟ ରଖି କର୍ମୀମାନଙ୍କ ସହ ଖୁସି ମନାଇଥିବା ଦେଖିବାକୁ ମିଳିଛି ।
