ନାଏବ ସରପଞ୍ଚ ନିର୍ବାଚନରେ ହିଂସା : ଜିତିଲେ, ଶୋଭାଯାତ୍ରା କଲେ, ଲୋକଙ୍କୁ ମାଡ଼ ମାରିବା ସହ ପୋଲିସକୁ ଆକ୍ରମଣ କଲେ ବିଜୟୀଙ୍କ ସମର୍ଥକ

ବଲାଙ୍ଗୀର : ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପଞ୍ଚାୟତର ବିଜୟୀ ନାଏବ ସରପଞ୍ଚ ସଂକୀର୍ତ୍ତନ ମେହେର ଗତକାଲି ସଂଧ୍ୟାରେ ନିଜ ସମର୍ଥକମାନଙ୍କ ସହ ବିଜୟ ଶୋଭାଯାତ୍ରାରେ ବାହାରିଥିଲେ । ସ୍ଥାନୀୟ ମେହେରପଡା ଠାରେ ଶୋଭାଯାତ୍ରା ସମୟରେ ତାଙ୍କ ବିପକ୍ଷ ଗୋଷ୍ଠୀ ସରପଞ୍ଚ ପଙ୍କଜିନୀ ସାହୁଙ୍କ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । କଥା ଆକ୍ରମଣ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିପକ୍ଷ ଗୋଷ୍ଠୀର ୬ ଜଣ ଆହତ ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଛନ୍ତି  ।

ଏହି ଘଟଣାରେ ଆଉ ୧୦ ରୁ ଅଧିକ ପୁରୁଷ-ମହିଳା ଆହତ ହୋଇଥିବା ଜଣାପଡିଛି । ଅନ୍ୟପଟେ ଖବରପାଇ ଗତକାଲି ବିଳମ୍ବିତ ରାତିରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଯାଉଥିବା ସଦର ପୋଲିସ ଉପରେ ମଧ୍ୟ ଆକ୍ରମଣ ସହ ପୋଲିସ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି ଦୁବୃର୍ତ୍ତ । ସଦର ଏସଡିପିଓ ତୋଫାନ ବାଗ ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ପଚରା ଉଚୁରା କରିବା ସହ ତଦନ୍ତ କକିଛନ୍ତି ।

ସଦର ଥାନାର ଜଣେ ସବ-ଇନିସ୍ପେକ୍ଟରଙ୍କ ସମେତ ୩ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏସଡିପିଓ ଶ୍ରୀ ବାଗ ସୂଚନା ଦେଇଛନ୍ତି । ସେପଟେ ଏନେଇ କାହାକୁ ଅଟକ ରଖାଯାଇନଥିବା ବେଳେ ଗାଁ ରେ ପୋଲିସ ଛାଉଣୀ କରାଯାଇଛି । ଏନେଇ ମାମଲା ରୁଜୁ କରି ଆକ୍ରମଣ କରିଥିବା ଦୁର୍ବତ୍ତଙ୍କୁ ଚିହ୍ନଟ କରିସାରିଥିବା ବେଳେ ତୁରନ୍ତ ଗିରଫ କରାଯିବ ବୋଲି କହିଛନ୍ତି ଏସ୍‌ଡିପିଓ ।

Leave a Reply

Your email address will not be published. Required fields are marked *